ଭୋପାଳ, ୨୬/୧୦ : ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲା ଅଧୀନ ମଣ୍ଡଳେଶ୍ଵରରେ ନର୍ମଦା ନଦୀ କୂଳରେ ହଜାର ହଜାର ଭୋଟର ପରିଚୟପତ୍ର ମିଳିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ମୁତାବକ, ଏହି କାର୍ଡଗୁଡ଼ିକ ଇନ୍ଦୋର ଜିଲ୍ଲାର ରାଉ ବିଧାନସଭା କ୍ଷେତ୍ରର।

ମାମଲା ସାମ୍ନାକୁ ଆସିବା ପରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ମଣ୍ଡଳେଶ୍ୱର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏଫଆଇଆର ନିମନ୍ତେ ଦାବି କରିଛନ୍ତି। ପ୍ରଶାସନ କାର୍ଡଗୁଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି।

କୁହାଯାଉଛି ଯେ, ରବିବାର ସକାଳେ ମଣ୍ଡଳେଶ୍ଵରରେ ନର୍ମଦା ଘାଟରେ ସଫେଇ ଅଭିଯାନ ଚଲିଥିଲା। ଏହି ସମୟରେ ନଦୀ କୂଳରେ ଭୋଟର କାର୍ଡଗୁଡ଼ିକ ଛିନଛତ୍ର ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ପ୍ରଶାସନକୁ ସୂଚନା ଦିଆଯାଇଥିଲା। ଖବର ପାଇ ରାଜସ୍ବ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଧିକାରୀମାନେ ଭୋଟର କାର୍ଡଗୁଡ଼ିକୁ ଏକାଠି କରି ରେକର୍ଡ ପ୍ରସ୍ତୁତ କରିଥିଲେ।

Also Read :- ରାତିରେ ବି ଖସିବେନି ହାତୀ, ଥର୍ମାଲ କ୍ୟାମେରାରେ ହେଉଛି ନିରୀକ୍ଷଣ

କାର୍ଡଗୁଡ଼ିକର ସଂଖ୍ୟା ଏବଂ ରାଉ ବିଧାନସଭା କ୍ଷେତ୍ର ସହ ତାହା ଜଡ଼ିତ ଥିବା ଜଣାପଡ଼ିଛି। ତେବେ ଏହି ଘଟଣାର ତଦନ୍ତ ଚାଲିଛି। ନର୍ମଦା ଘାଟରେ ଏତେ ଭୋଟର କାର୍ଡ କେମିତି ପଡ଼ିଲା, ତାହା ଜାଣିବା ଲାଗି ତନାଘନା ଜାରି ରହିଛି। ସୋସିଆଲ ମିଡିଆରେ ଏହାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି ।