ଭୁବନେଶ୍ୱର ୭।୧୧: ଭତ୍ତା ପାଇଁ ଆଉ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିବନି । ଭତ୍ତା ପାଇଁ ଅପେକ୍ଷାର ଯୁଗ ଶେଷ । ରାଜ୍ୟର ୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଭତ୍ତା । ନଭେମ୍ବର ୧୦ ତାରିଖରୁ ଭତ୍ତା ପ୍ରଦାନ ପ୍ରକ୍ରିୟାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ତେବେ ଭତ୍ତା ପାଇଁ ଅପେକ୍ଷାର ଯୁଗ ଶେଷ ବିଜ୍ଞାପନକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ରାଜ୍ୟ ସରକାର ପ୍ରତିଦିନ ନୂଆ ନୂଆ ସ୍ଲୋଗାନ ଦେଉଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଅଛି । ତାକୁ ଦେଖି ଲୋକଙ୍କୁ ଭଣ୍ଡେଇବା ପାଇଁ ଏମିତି ପ୍ରଚାର କରୁଛନ୍ତି । ଏବେ ଯେଉଁ ନୂଆ ଭତ୍ତା ଦେବାକୁ ଘୋଷଣା କରାଯାଇଛି । ସେ ପ୍ରକ୍ରିୟା ନବୀନ ବାବୁ ଆରମ୍ଭ କରିଥିଲେ । ଏ ସରକାର କେବଳ ବାହାଦୁରି ନେବାକୁ ଲାଗିଛି । ପୂର୍ବ ସରକାର ୯୫ ପ୍ରତିଶତ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ଦେଇଥିଲେ । ବର୍ତ୍ତମାନ ଯେଉଁମାନେ ଭତ୍ତା ପାଉଛନ୍ତି ତାଙ୍କୁ ଠିକ୍ରେ ମଧ୍ୟ ମିଳୁ ନାହିଁ । ବୃଦ୍ଧ ବୃଦ୍ଧା କାନ୍ଦୁଛନ୍ତି । ଏ ସରକାର କେବଳ ବହାଦୁରିଆ ସରକାର । ବାସ୍ତବତା ଗ୍ରାଉଣ୍ଡକୁ ଯାଇ ଦେଖନ୍ତୁ । ୩ ହଜାର ଟଙ୍କା ଭତ୍ତା ଦେବା କଥା କହିଥିଲେ କୁଆଡେ ଗଲା । ଲୋକଙ୍କୁ ଭଣ୍ଡେଇବା କାମ ଛାଡ଼ନ୍ତୁ ବୋଲି ସାରଦା ଜେନା କହିଛନ୍ତି ।

ସେହିଭଳି କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ପଞ୍ଚାୟତ ନିର୍ବାଚନକୁ ନେଇ ଗରିବ ଲୋକଙ୍କୁ ଠକିବାକୁ ଯୋଜନା କରୁଛନ୍ତି ସରକାର । ଯେଉଁମାନେ ପାଉଛନ୍ତି ତାଙ୍କୁ ମାସକୁ ମାସ ଦେଇ ପାରୁ ନାହାନ୍ତି । ବିଜେପି ସରକାର କ୍ଷମତାକୁ ଆସିଲା ପରେ ପ୍ରତାରଣାର ଯୁଗ ଆରମ୍ଭ ହୋଇଛି । ଇସ୍ତାହାରରେ ଯାହା ଲେଖା ଯାଇଛି ତାହା କରୁ ନାହନ୍ତି । ଭତ୍ତାକୁ ନେଇ ବହୁତ କଥା ସେମାନେ କହିଥିଲେ । ପ୍ରଥମେ ଇନ୍ଦିରା ଗାନ୍ଧୀ ଭତ୍ତା ଆରମ୍ଭ କରିଥିଲେ । ବିଜେପି ସରକାରରେ ଆସିଲା ପରେ ଗୋଟିଏ ଲୋକଙ୍କୁ ମଧ୍ୟ ଭତ୍ତା ଦେଇ ନାହାନ୍ତି । ଏବେ ଭତ୍ତା ଯୁଗ ଶେଷ ବୋଲି କହୁଛନ୍ତି । ଏହା କେମିତି ସମ୍ଭବ । ଯେଉଁମାନେ ଏବେ ଭତ୍ତା ପାଉଛନ୍ତି, ସେମାନଙ୍କୁ ସବୁ ମାସରେ ଦେଇପାରୁ ନାହାନ୍ତି । ହେଲେ ଏମାନେ ନୂଆ ଭତ୍ତା ଦେଲା ପରି କହୁଛନ୍ତି ।

Also Read:-ଝାରସୁଗୁଡ଼ାରୁ ନିଖୋଜ, ସୁନ୍ଦରଗଡ଼ ଜଙ୍ଗଲରେ ମିଳିଲା ଯବାନଙ୍କ ମୃତଦେହ

ଯେଉଁମାନଙ୍କୁ ୬୦ ବର୍ଷ ହୋଇଛି ସେମାନଙ୍କୁ ୩ ହଜାର ଟଙ୍କା ଦେବେ କି ? ସେହିପରି ଯାହାଙ୍କୁ ୮୦ ବର୍ଷ ତାଙ୍କୁ ୩ ହଜାର ୫ ଶହ ଟଙ୍କା ଦେବା କଥା କେବେ ଦେବେ କୁହନ୍ତୁ । ପଂଚାୟତ ନିର୍ବାଚନକୁ ନେଇ ଗରିବ ଲୋକଙ୍କୁ ଠକିବାକୁ ଯୋଜନା କରୁଛନ୍ତି । ଦଳୀୟ ଲୋକଙ୍କୁ ଏ ସରକାର ଭତ୍ତା ଦେଉଛନ୍ତି ବୋଲି ଜୟଦେବ ଜେନା କହିଛନ୍ତି ।