ଝାରସୁଗୁଡ଼ା ୦୭।୧୧ : ୪୮ ଘଣ୍ଟାର ଖୋଜାଖୋଜି ପରେ ମିଳିଲା ନିଖୋଜ ଯବାନଙ୍କ ମୃତଦେହ। ଝାରସୁଗୁଡ଼ା ବିମାନବନ୍ଦରର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଓଏସ୍ଏପି ଯବାନ ପୃଥ୍ୱୀରାଜ ସାହୁଙ୍କ ଝୁଲନ୍ତା ମୃତଦେହ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଘୁଡ଼ାମରା ଘାଟି ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଛି। ଗୁରୁବାର ସକାଳୁ ସେ ନିଖୋଜ ଥିବାବେଳେ ଶନିବାର ସକାଳେ ତାଙ୍କ ମୃତଦେହ ମିଳିଛି। ଯବାନଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।

ଝାରସୁଗୁଡ଼ା ବିମାନବନ୍ଦରରେ ସୁରକ୍ଷା ଦାୟିତ୍ୱରେ ଥିଲେ। ହେଲେ ହଠାତ୍ ନିଖୋଜ ହୋଇଗଲେ ଓଏସ୍ଏପି ଯବାନ ପୃଥ୍ୱୀରାଜ ସାହୁ। ଗୁରୁବାର ସକାଳୁ ତାଙ୍କର କୌଣସି ଖୋଜଖବର ମିଳିନଥିଲା। ସନ୍ଧ୍ୟାରେ ପରିବାର ଲୋକେ ଝାରସୁଗୁଡ଼ା ସଦର ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ। ପୃଥ୍ୱୀରାଜଙ୍କ ମୋବାଇଲର ଶେଷ ଲୋକେସନ୍ ଟ୍ରାକ୍ କରିବା ସହ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। ଦୀର୍ଘ ୪୮ ଘଣ୍ଟାର ଖୋଜାଖୋଜି ପରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଞ୍ଚଳର ଘୁଡ଼ାମରା ଘାଟି ନିକଟ ଜଙ୍ଗଲରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

Also Read:-ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ନିଷ୍ପତ୍ତି, ଏଥର ମୁଖ୍ୟମନ୍ତ୍ରୀ ନିବାସରେ ପାଳନ ହେବନି ଦୀପାବଳି

ମୃତ ପୃଥ୍ୱୀରାଜଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ର ଦେଓପାଲି ଗାଁରେ। ସେ ଓଏସ୍ଏପିର ରାଉରକେଲାସ୍ଥିତ ଚତୁର୍ଥ ବାଟାଲିଅନରେ କାର୍ଯ୍ୟରତ ଥିଲେ। କିଛି ବର୍ଷ ତଳେ ତାଙ୍କର ଝାରସୁଗୁଡ଼ାକୁ ବଦଳି ହୋଇଥିଲା। ଏଠାରେ ସେ ବିମାନବନ୍ଦରର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ।