ୱାଶିଂଟନ/ତେହେରାନ: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ସ୍ଥିତି ଏବେ ଅତି ସଙ୍ଗୀନ ମୋଡ଼ରେ ପହଞ୍ଚିଛି। ଆମେରିକା ଏବଂ ଇରାନ ମଧ୍ୟରେ ଗତ ଏପ୍ରିଲ ମାସରୁ ହୋଇଥିବା ଅସ୍ଥାୟୀ ଯୁଦ୍ଧବିରତି ଯେକୌଣସି ମୁହୂର୍ତ୍ତରେ ଭାଙ୍ଗିଯିବାର ଆଶଙ୍କା ଦେଖାଦେଇଛି। ଯଦି ଏହି ଶାନ୍ତି ଆଲୋଚନା ବିଫଳ ହୁଏ, ତେବେ ଇରାନ ବିରୋଧରେ ଏକ ନୂଆ ଏବଂ ଅଧିକ ଭୟଙ୍କର ସାମରିକ ଅଭିଯାନ ଆରମ୍ଭ କରିବାକୁ ଆମେରିକା ଯୋଜନା କରୁଛି, ଯାହାର ସାଙ୍କେତିକ ନାମ ‘ଅପରେସନ୍ ସ୍ଲେଜ୍ହାମର୍’ ରଖାଯାଇଛି।

‘ଅପରେସନ୍ ଏପିକ୍ ଫ୍ୟୁରି’ ବଦଳରେ ନୂଆ ରଣନୀତି

ଆମେରିକାର ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆମେରିକା ପୂର୍ବରୁ ଇରାନ ବିରୋଧରେ ‘ଅପରେସନ୍ ଏପିକ୍ ଫ୍ୟୁରି’ ଚଲାଉଥିଲା, ଯାହାକୁ ଗତ ମାସରେ ସ୍ଥଗିତ ରଖାଯାଇ ଇରାନ ଉପରେ ସାମୁଦ୍ରିକ କଟକଣା ଲଗାଯାଇଥିଲା। ଏହାର ଜବାବରେ ଇରାନ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ‘ହୋର୍ମୁଜ ଜଳପଥ’କୁ ବନ୍ଦ କରିଦେଇଥିଲା। ଏବେ ଯୁଦ୍ଧବିରତି ସତ୍ତ୍ୱେ କୌଣସି ସକରାତ୍ମକ ପରିଣାମ ନଆସିବାରୁ ଟ୍ରମ୍ପ ପ୍ରଶାସନ ପୁଣି ଥରେ ବଡ଼ ଧରଣର ଆକ୍ରମଣ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି।

ଆମେରିକା ଓ ଇସ୍ରାଏଲର ମିଳିତ ପ୍ରସ୍ତୁତି, ଆସନ୍ତା ସପ୍ତାହରେ ଆକ୍ରମଣ ସମ୍ଭାବନା

‘ଦି ନ୍ୟୁୟର୍କ ଟାଇମ୍ସ’ର ରିପୋର୍ଟ ମୁତାବକ, ଯୁଦ୍ଧବିରତି ପରେ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ପୁନଃ ଆକ୍ରମଣ ପାଇଁ ସବୁଠାରୁ ବଡ଼ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ମିଳିତ ଆକ୍ରମଣ ଆସନ୍ତା ସପ୍ତାହ ସୁଦ୍ଧା ଆରମ୍ଭ ହୋଇପାରେ। ପେଣ୍ଟାଗନର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଯୁଦ୍ଧବିରତି ସମୟରେ ଆମେରିକା ନିଜର ଯୁଦ୍ଧ ଜାହାଜ ଏବଂ ପରମାଣୁ ବୋମାକୁ ପୁଣି ଥରେ ସଜାଗ କରିସାରିଛି।

ଏଥର ମାରାତ୍ମକ ପ୍ଲାନ୍: ମାଟି ତଳୁ ପରମାଣୁ ସାମଗ୍ରୀ ଲୁଟ୍ କରିବେ କମାଣ୍ଡୋ

‘ଅପରେସନ୍ ସ୍ଲେଜହାମର୍’ ଅଧୀନରେ ଦୁଇଟି ବଡ଼ ବିକଳ୍ପ ଉପରେ ଆଲୋଚନା ଚାଲିଛି:

  1.  ଇରାନର ସମସ୍ତ ସାମରିକ ଘାଟି ଏବଂ ଭିତ୍ତିଭୂମି ଉପରେ ବ୍ୟାପକ ଏୟାର ଷ୍ଟ୍ରାଇକ୍ କରିବା।
  2.  ଇରାନର ମାଟି ତଳେ ଗଭୀର ଭାବେ ଲୁଚାଇ ରଖାଯାଇଥିବା ୟୁରେନିୟମ୍ ଏବଂ ପରମାଣୁ ସାମଗ୍ରୀକୁ ନଷ୍ଟ କରିବା ପାଇଁ ଆମେରିକାର ‘ସ୍ପେଶାଲ ଅପରେସନ୍ସ ଫୋର୍ସ’ଙ୍କୁ ସିଧାସଳଖ ମଇଦାନକୁ ଓହ୍ଲାଇବା।

ଡରିବାର ନାହିଁ, ଶିକ୍ଷା ଦେବୁ: ଇରାନ

ଅନ୍ୟପକ୍ଷରେ, ଆମେରିକାର ଏହି ଚେତାବନୀ ଉପରେ କଡ଼ା ଜବାବ ଦେଇଛି ଇରାନ। ଇରାନର ସଂସଦୀୟ ବାଚସ୍ପତି ତଥା ମୁଖ୍ୟ ଆଲୋଚନାକାରୀ ମହମ୍ମଦ ବାଘେର ଗାଲିବାଫ୍ କହିଛନ୍ତି ଯେ, "ଇରାନର ସେନା ଯେକୌଣସି ପ୍ରକାରର ଆକ୍ରମଣର ମୁହଁତୋଡ଼ ଜବାବ ଦେବାକୁ ପ୍ରସ୍ତୁତ ଅଛି ଏବଂ ଆମେରିକାକୁ ଏଭଳି ଶିକ୍ଷା ଦେବୁ ଯାହା ସେ କେବେ ଭାବିନଥିବ।"

ଟ୍ରମ୍ପ-ସି ଜିନପିଙ୍ଗ ବୈଠକ ଏବଂ ବିଶ୍ୱ ଶକ୍ତି ସଙ୍କଟ

ଶୁକ୍ରବାର ଚୀନ ଗସ୍ତ ଶେଷ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି। ବିଶ୍ୱରେ ଦେଖାଦେଇଥିବା ଭୟଙ୍କର ଶକ୍ତି ସଙ୍କଟ ଏବଂ ତେଲ ଦର ବୃଦ୍ଧିକୁ ରୋକିବା ପାଇଁ ‘ହୋର୍ମୁଜ ଜଳପଥ’ ଖୋଲିବା ଜରୁରୀ ବୋଲି ଦୁଇ ନେତା ସହମତି ପ୍ରକାଶ କରିଛନ୍ତି। ତେବେ ଚୀନ ଏବେ ମଧ୍ୟ ଇରାନ ସହ ବାଣିଜ୍ୟିକ ସମ୍ପର୍କ ବଜାୟ ରଖିଛି।

ଯଦି ଆସନ୍ତା କିଛି ଦିନ ମଧ୍ୟରେ କୌଣସି କୂଟନୈତିକ ସମାଧାନ ନବାହାରେ, ତେବେ ପଶ୍ଚିମ ଏସିଆର ଏହି ମହାଯୁଦ୍ଧ ସାରା ବିଶ୍ୱର ଅର୍ଥନୀତିକୁ ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ କରିଦେବ।