ନୂଆଦିଲ୍ଲୀ: ରାତି ସମୟରେ ପୃଥିବୀ ପୃଷ୍ଠକୁ ସୂର୍ଯ୍ୟକିରଣ ପ୍ରତିଫଳିତ କରିବା ପାଇଁ ଉଦ୍ଦିଷ୍ଟ ଏକ ବିବାଦୀୟ ସାଟେଲାଇଟ୍ ପ୍ରକଳ୍ପକୁ ଆମେରିକାର ଫେଡେରାଲ୍ କମ୍ୟୁନିକେସନ୍ସ କମିଶନ ମଞ୍ଜୁରୀ ପ୍ରଦାନ କରିଛି। ଜ୍ୟୋତିର୍ବିଜ୍ଞାନୀ ଏବଂ ପରିବେଶବିତମାନଙ୍କ ତୀବ୍ର ବିରୋଧ ସତ୍ତ୍ବେ ଏହି ଅନୁମତି ମିଳିଥିବା ନେଇ ଦି ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ପ୍ରକାଶ କରିଛି। ଆମେରିକାର କାଲିଫର୍ଣ୍ଣିଆର ଏକ ଷ୍ଟାର୍ଟଅପ୍ କମ୍ପାନୀ 'ରିଫ୍ଲେକ୍ଟ ଅର୍ବିଟାଲ୍' (Reflect Orbital) କୁ ଏହି ପରୀକ୍ଷାମୂଳକ ଉପଗ୍ରହ 'ଇରେନ୍ଦିଲ୍-୧' (Earendil-1) ଉତକ୍ଷେପଣ ପାଇଁ ଅନୁମତି ଦିଆଯାଇଛି।

କଣ ଏହି ପ୍ରକଳ୍ପ ଏବଂ କେମିତି କରିବ କାମ ?

ଇରେନ୍ଦିଲ୍-୧ ସାଟେଲାଇଟରେ ପ୍ରାୟ ୬୦ ଫୁଟ୍ ଚଉଡ଼ାର ଏକ ବର୍ଗାକାର ଦର୍ପଣ ବା ଆଇନା ଲାଗିଛି। ପୃଥିବୀ ପୃଷ୍ଠରୁ ପ୍ରାୟ ୬୪୦ କିଲୋମିଟର ଉଚ୍ଚତାରେ ଏହି ଉପଗ୍ରହ ନିଜର ଦର୍ପଣକୁ ବ୍ୟବହାର କରିବ ଏବଂ ରାତି ସମୟରେ ପୃଥିବୀର ପ୍ରାୟ ୫ କିଲୋମିଟର ପରିଧି ବିଶିଷ୍ଟ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଉପରକୁ ସୂର୍ଯ୍ୟକିରଣ ପ୍ରତିଫଳିତ କରିବ। କମ୍ପାନୀ ଏହାକୁ "ସନ୍ଲାଇଟ୍ ଅନ୍ ଡିମାଣ୍ଡ" ବା ଆବଶ୍ୟକତା ଅନୁସାରେ ସୂର୍ଯ୍ୟକିରଣ ବୋଲି କହୁଛି। କମ୍ପାନୀ ଅନୁସାରେ, ଏହି ଦର୍ପଣ ଦ୍ବାରା ପ୍ରତିଫଳିତ ଆଲୋକ ଏକ ପୂର୍ଣ୍ଣିମା ଜହ୍ନର ଆଲୋକଠାରୁ ପ୍ରାୟ ୪ ଗୁଣ ଅଧିକ ହେବ। ସାଟେଲାଇଟ ଗତି କରୁଥିବାରୁ ପ୍ରତି ୪ ମିନିଟ୍ରେ ଏହାର ଦର୍ପଣର ଦିଗ ପରିବର୍ତ୍ତନ କରିବାକୁ ପଡ଼ିବ।

୫୦,୦୦୦ ସାଟେଲାଇଟ୍ ଲକ୍ଷ୍ୟ

ଏହା କେବଳ ପ୍ରଥମ ପଦକ୍ଷେପ । କମ୍ପାନୀ ୨୦୩୫ ସୁଦ୍ଧା ମହାକାଶରେ ଏଭଳି ପ୍ରାୟ ୫୦,୦୦୦ ଦର୍ପଣ ବିଶିଷ୍ଟ ସାଟେଲାଇଟର ଏକ ଶୃଙ୍ଖଳା ବା ନେଟୱର୍କ ପ୍ରସ୍ତୁତ କରିବ। ଏହାଦ୍ବାରା ସୌର ଶକ୍ତି ଫାର୍ମଗୁଡ଼ିକ ପାଇଁ ଦିନର ସମୟ ସୀମା ବଢ଼ାଯାଇପାରିବ, ଜରୁରୀକାଳୀନ ସମୟରେ ଆଲୋକ ଯୋଗାଇ ଦିଆଯାଇପାରିବ ଏବଂ କୃଷି ତଥା ଶିଳ୍ପ କ୍ଷେତ୍ରକୁ ସହାୟତା ମିଳିବ ବୋଲି କମ୍ପାନୀ ଦାବି କରିଛି। କମ୍ପାନୀର ଏହି ଯୋଜନାକୁ ନେଇ ସାରା ବିଶ୍ବର ମହାକାଶ ବିଜ୍ଞାନୀ ଚିନ୍ତା ପ୍ରକଟ କରିଛନ୍ତି ।

ଆମେରିକାନ୍ ଆଷ୍ଟ୍ରୋନୋମିକାଲ୍ ସୋସାଇଟି ଚେତାବନୀ ଦେଇଛି ଯେ, ଟେଲିସ୍କୋପ୍ ବ୍ୟବହାର କରୁଥିବା ମହାକାଶ ବିଜ୍ଞାନୀମାନଙ୍କ ଆଖି ଏହି ପ୍ରଖର ଆଲୋକ ଯୋଗୁଁ ନଷ୍ଟ ହୋଇପାରେ। ମହାକାଶରୁ ଆସୁଥିବା ଏହି ଆଲୋକ ରଶ୍ମି ବିମାନ ଚାଳକଙ୍କ ପାଇଁ ଭ୍ରମ ସୃଷ୍ଟି କରିପାରେ। ଏହାଦ୍ବାରା ମହାକାଶ ଗବେଷଣା ବାଧାପ୍ରାପ୍ତ ହେବ। ଜହ୍ନଠାରୁ ଅଧିକ ପ୍ରଖର ଆଲୋକ ମାନବ ଶରୀରର ପ୍ରାକୃତିକ ଶୋଇବା-ଉଠିବା ଚକ୍ର ବା ଜୈବିକ ଘଡ଼ି କୁ ବିଗାଡ଼ି ଦେଇପାରେ। ଦର୍ପଣର ଦିଗ ବଦଳାଯିବା ସମୟରେ ସୃଷ୍ଟି ହେଉଥିବା ହଠାତ୍ ଚମକ ଯୋଗୁଁ ରାସ୍ତାରେ ଗାଡ଼ି ଚଲାଉଥିବା ଚାଳକ ଏବଂ ପାଇଲଟ୍ମାନେ କିଛି ସମୟ ପାଇଁ ଅନ୍ଧ ହୋଇଯାଇପାରନ୍ତି । ଏହା ବଡ଼ ଦୁର୍ଘଟଣାର କାରଣ ହୋଇପାରେ।