ଭୁବନେଶ୍ୱର ୧୩।୧୦ : ପିଆଜ ଦର ହ୍ରାସ। ମଣ୍ଡିରେ ପିଆଜ ଦର ୧୩ ପ୍ରତିଶତ ହ୍ରାସ ପାଇଛି। ନୂତନ ଖରିଫ ପିଆଜ ବଜାରକୁ ଆସିବା ଏବଂ ବଫର ଷ୍ଟକରୁ କେନ୍ଦ୍ର ସରକାରଙ୍କ ଯୋଗାଣ ଜାରି ରହିବା ଯୋଗୁଁ ଦେଶବ୍ୟାପୀ ପିଆଜ ମୂଲ୍ୟ ହ୍ରାସ ପାଇଛି। ମହାରାଷ୍ଟ୍ରର ବିଭିନ୍ନ ମଣ୍ଡିରେ ପିଆଜ ମୂଲ୍ୟ ୧୩ ପ୍ରତିଶତ କମିଛି। ସେପ୍ଟେମ୍ବର ୧୬ ତାରିଖରେ ମହାରାଷ୍ଟ୍ରର ପ୍ରମୁଖ ପିଆଜ ବଜାରରେ ହାରାହାରି ମୂଲ୍ୟ କ୍ୱିଣ୍ଟାଲ ପ୍ରତି ପ୍ରାୟ ୪,୦୩୦ ଟଙ୍କା ଥିଲା। ୩ ଅକ୍ଟୋବରରେ ଏହା ହ୍ରାସ ପାଇ ୩୪୭୫ ଟଙ୍କାରେ ପହଞ୍ଚିଥିଲା। ଦେଶର ୧୨୬ ସହରରେ ଖୁଚୁରା ମୂଲ୍ୟ ହ୍ରାସ ପାଇଛି।

କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଦେଶର ବିଭିନ୍ନ ମଣ୍ଡି ଏବଂ ପ୍ରମୁଖ ଖୁଚୁରା ବଜାରରେ ପିଆଜ ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ରାଜସ୍ଥାନ ଭଳି ପ୍ରମୁଖ ଉତ୍ପାଦନକାରୀ ରାଜ୍ୟଗୁଡ଼ିକରୁ ବଜାରକୁ ନୂତନ ଖରିଫ ପିଆଜ ଆସିବା ଆରମ୍ଭ ହୋଇଛି। ଏବର୍ଷ ପାଗ ଭଲ ଥିବାରୁ ଖରିଫ ପିଆଜ ଅମଳ ଭଲ ରହିଛି। ତେଣୁ ପିଆଜ ଆହୁରି ହ୍ରାସ ହେବ ବୋଲି ଆକଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ମୂଲ୍ୟ ହ୍ରାସ ପାଇଛି। ୧୨୩ ଟି ସହରକୁ କେନ୍ଦ୍ର ସରକାର ୨ ଲକ୍ଷ କ୍ବିଣ୍ଟାଲ ପିଆଜ ଯୋଗାଣ କରିଛନ୍ତି। ଫଳରେ ଆଗାମୀ ସପ୍ତାହରେ ପିଆଜ ଦର ହ୍ରାସ ପାଇବ।

Also Read:-ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ ! ଦଶହରାରେ ହେବ କି ପ୍ରବଳ ବର୍ଷା ?