ସୋର: ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ । ଏକତରଫା ପ୍ରେମ ଏବଂ ବିବାଦ ପରେ ଭଲ ପାଉଥିବା ଯୁବତୀଙ୍କ ପରିବାରର ଯାହାକୁ ଦେଖିଲା, ହାଣି ଚାଲିଲା । ସୋର ଔପଦା ଅଞ୍ଚଳରେ ଏକତରଫା ପ୍ରେମକୁ କେନ୍ଦ୍ର କରି ଘଟିଛି ଏକ ଭୟଙ୍କର ଆକ୍ରମଣ । ଜଣେ ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ ଯୋଗୁଁ ଶିକ୍ଷୟିତ୍ରୀଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟ ଭୁଜାଲି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ।

ଔପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା ପାଟପୁର ଗାଁର ସୁଚିସ୍ମିତା ସେଠୀଙ୍କୁ ସ୍ଥାନୀୟ ଯୁବକ ପୃଥ୍ୱୀରାଜ କର ୨୦୨୨ ମସିହାରୁ ଏକତରଫା ପ୍ରେମ କରିଆସୁଥିଲା । ଏହାକୁ ନେଇ ଦୀର୍ଘଦିନ ଧରି ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ସୁଚିସ୍ମିତାଙ୍କ ପରିବାର ପକ୍ଷରୁ ଏନେଇ ବିଭିନ୍ନ ସ୍ଥାନରେ ଅଭିଯୋଗ ମଧ୍ୟ କରାଯାଇଥିଲା । ଅଭିଯୋଗ ଆଧାରରେ ଶିକ୍ଷା ବିଭାଗ ପୃଥ୍ୱୀରାଜଙ୍କୁ ସସ୍‌ପେଣ୍ଡ ମଧ୍ୟ କରିଥିବା ଜଣାପଡ଼ିଛି ।

ନିଲମ୍ବନ କାର୍ଯ୍ୟାନୁଷ୍ଠାନରେ ଉତକ୍ଷିପ୍ତ ହୋଇ ପୃଥ୍ୱୀରାଜ ଆଜି ଏକ ଧାରୁଆ ଭୁଜାଲି ଧରି ସୁଚିସ୍ମିତାଙ୍କ ଘରେ ପଶି ଆକ୍ରମଣ କରିଥିଲେ । ଆକ୍ରମଣରେ ସୁଚିସ୍ମିତା ସେଠୀ (ଶିକ୍ଷୟିତ୍ରୀ), ବାପା କୃଷ୍ଣ ସେଠୀ, ମାଆ ପ୍ରଭାସିନୀ ସେଠୀ, ଜେଜେବାପା ବାବାଜୀ ସେଠୀ, ଭାଇ ଜ୍ୟୋତିର୍ମୟ ସେଠୀ ଗୁରୁତର ଆହତ ହୋଇଛନ୍ତି ।

ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ସମସ୍ତ ଗୁରୁତର ଆହତଙ୍କୁ ଔପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରବର୍ତ୍ତୀ ସମୟରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ପୃଥ୍ୱୀରାଜ କରକୁ ସ୍ଥାନୀୟ ଲୋକ କାବୁ କରି ପୋଲିସ ଜିମା ଦେଇଛନ୍ତି । ପୋଲିସ ପୂରା ଘଟଣାର ତଦନ୍ତ ଆରମ୍ଭ କରିଛି ।