ନୂଆଦିଲ୍ଲୀ ୧୮।୩: ଲୋକସଭା ୧୮ ମାର୍ଚ୍ଚ ବୁଧବାର ‘ୱାନ ନେସନ ୱାନ ଇଲେକ୍ସନ’ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ବିଚାର କରୁଥିବା ଯୁଗ୍ମ ସଂସଦୀୟ କମିଟି (ଜେପିସି)ଙ୍କୁ ନିଜ ରିପୋର୍ଟ ଉପସ୍ଥାପନ କରିବା ପାଇଁ ଅତିରିକ୍ତ ସମୟ ଦେଇଛନ୍ତି। ସଦନ କମିଟିର କାର୍ଯ୍ୟକାଳ ସମ୍ପ୍ରସାରଣ କରିଛି। ଏଣୁ ଏବେ କମିଟି ୨୦୨୬ ମୌସୁମୀ ଅଧିବେଶନ ଶେଷ ସପ୍ତାହର ପ୍ରଥମ ଦିନରେ ରିପୋର୍ଟ ଉପସ୍ଥାପନ କରି ପାରିବେ। ଏ ନେଇ କମିଟି ଅଧ୍ୟକ୍ଷ ପି.ପି.ଚୌଧୁରୀ ସଦନରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ, ଏହାକୁ ମଞ୍ଜୁରୀ ମିଳି ଯାଇଛି।

ପି.ପି. ଚୌଧୁରୀ କରିଛନ୍ତି ଅନୁରୋଧ
ଲୋକସଭାରେ ପ୍ରସ୍ତାବ ଉପସ୍ଥାପନ କରି ପି.ପି.ଚୌଧୁରୀ କହିଛନ୍ତି ଯେ ‘ଏହି ସଦନରେ ସମ୍ବିଧାନର ୧୨୯ତମ ସଂଶୋଧନ ବିଧେୟକ ୨୦୨୪ ଓ କେନ୍ଦ୍ର ଶାସିତ ପ୍ରଦେଶ ଆଇନ (ସଂଶୋଧନ) ବିଧେୟକ ୨୦୨୪ ଉପରେ ଜେପିସିକୁ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସମୟକୁ ୨୦୨୬ ମୌସୁମୀ ଅଧିବେଶନ ଶେଷ ସପ୍ତାହର ପ୍ରଥମ ଦିନ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଅନୁରୋଧ କରାଯାଉଛି’।

୨୦୨୪ରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା ବିଧେୟକ
ଏହି ବିଧେୟକକୁ ଡିସେମ୍ବର ୨୦୨୪ରେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। ବିଧେୟକକୁ ପରବର୍ତ୍ତି ଯାଞ୍ଚ ପାଇଁ ସଂସଦର ଉଭୟ ସଦନଙ୍କ ଯୁଗ୍ମ କମିଟିକୁ ପଠା ଯାଇଥିଲା। ସମ୍ବିଧାନର ୧୨୯ତମ ସଂଶୋଧନ ବିଧେୟକ ୨୦୨୪ ପ୍ରସ୍ତାବିତ ସୁଧାର ସମ୍ପର୍କିତ, ଯାହାକୁ ଲୋକପ୍ରିୟ ରୂପେ ‘ଏକ ଦେଶ ଏକ ନିର୍ବାଚନ’ ଭାବେ ଜଣାଯାଏ। ଏହାର ଉଦ୍ଦେଶ୍ୟ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଦେଶରେ ଏକାଠି କରାଇବା। ଏଥିରେ କେନ୍ଦ୍ର ଶାସିତ ପ୍ରଦେଶ ଆଇନ (ସଂଶୋଧନ) ୨୦୨୪ ମଧ୍ୟ ସାରା ଦେଶରେ ଏକ ସଙ୍ଗରେ ନିର୍ବାଚନ କରିବା ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ତିଆରି କରାଯାଇଥିବା ବ୍ୟାପକ ଭିତ୍ତିଭୂମିର ଅଂଶବିଶେଷ।

ବର୍ତ୍ତମାନ ଜେପିସି ଏହି ବିଧେୟକର ସମୀକ୍ଷା କରୁଛି। ଏହି ବିଧେୟକକୁ ୧୭ ଡିସେମ୍ବର ୨୦୨୪ରେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା ଓ ଆଗାମୀ ଯାଞ୍ଚ ପାଇଁ ଏହାକୁ ଜେପିସିକୁ ପଠାଯାଇଛି। ଏହାର ଉଦ୍ଦେଶ୍ୟ ସାରା ଦେଶରେ ଏକସଙ୍ଗରେ ନିର୍ବାଚନ କରାଇବା।

ମାର୍ଚ୍ଚ ୯ ତାରିଖରେ ହୋଇଥିଲା ଜେପିସି ବୈଠକ
ଏହା ପୂର୍ବରୁ ଜେପିସି ବୈଠକ ମାର୍ଚ୍ଚ ୯ ତାରିଖରେ ସଂସଦ ଭବନରେ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଜେପିସି ଅଧ୍ୟକ୍ଷ ପି.ପି. ଚୌଧୁରୀ କହିଛନ୍ତି ଯେ ଏକ ଦେଶ ଏକ ନିର୍ବାଚନ ଦେଶର ହୀତରେ, ଏହା କୌଣସି ରାଜନୈତିକ ଦଳର ହୀତ ପାଇଁ ନୁହେଁ। ସେ କହିଛନ୍ତି ଯେ ଆମକୁ ଦଳୀୟ ହୀତରୁ ଊର୍ଦ୍ଧ୍ୱକୁ ଉଠି ଜାତୀୟ ହୀତରେ କାମ କରିବାକୁ ପଡିବ। ଗୋଟିଏ ଦେଶ ଗୋଟିଏ ଭୋଟ ପାଇଁ ଗୋଟିଏ ଭୋଟର ସୂଚୀ ପ୍ରସ୍ତୁତ କରିବା ସହଜ ହେବ। ଏହା ଦ୍ୱାରା ସମୟ ମଧ୍ୟ ବଞ୍ଚିବ।