ଭୁବନେଶ୍ୱର: ଓଡ଼ିଶାର ଖଣିଜ ସମ୍ପଦ ଉତ୍ତୋଳନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । କେନ୍ଦୁଝର ଜିଲ୍ଲା ବାଙ୍ଗୁର କ୍ରୋମାଇଟ୍ ଖଣିରୁ ପ୍ଲାଟିନମ୍ ଗ୍ରୁପ୍ ଏଲିମେଣ୍ଟସ୍ ବା ପ୍ଲାଟିନମ୍ ଧାତୁ (PGE) ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱର ସ୍ଥିତ CSIR-IMMT ପରିସରରେ ପ୍ଲାଟିନମ୍ ଗ୍ରୁପ୍ ମିନେରାଲ୍ସ ବା ପ୍ଲାଟିନମ୍ ଖଣିଜ ପଦାର୍ଥ (PGM) ପାଇଲଟ୍ ପ୍ଲାଣ୍ଟର ସଫଳ ପରୀକ୍ଷଣ କରାଯାଇଛି।

ଏହା ଭାରତର ପ୍ରଥମ ସମନ୍ୱିତ ପ୍ଲାଟିନମ୍ ଗ୍ରୁପ୍ ଏଲିମେଣ୍ଟସ୍ ବା ପ୍ଲାଟିନମ୍ ଧାତୁ (PGE) ପ୍ରକଳ୍ପ, ଯାହା ଖଣିଜ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବା ଦିଗରେ ଏକ ବଡ଼ ସଫଳତା ଆଣିଦେବ। ପ୍ଲାଟିନମ୍ ଗ୍ରୁପ୍ ଏଲିମେଣ୍ଟସ୍ ତଥା ପ୍ଲାଟିନମ୍, ପାଲାଡିୟମ୍ ଏବଂ ରୋଡିୟମ୍ ଭଳି ମୂଲ୍ୟବାନ ଧାତୁଗୁଡିକ କ୍ଲିନ୍ ଏନର୍ଜି, ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋଟିଭ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଓଡ଼ିଶା ଖଣି ନିଗମ ଏବଂ CSIR-IMMT ଓ ଦକ୍ଷିଣ ଆଫ୍ରିକାର ମିଣ୍ଟେକ୍ ର ମିଳିତ ସହଯୋଗରେ ଦୁଇ ପର୍ଯ୍ୟାୟ ବିଶିଷ୍ଟ ଗବେଷଣା ଏବଂ ବିକାଶ କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପାଇଲଟ୍ ପ୍ଲାଣ୍ଟ ଘଣ୍ଟା ପ୍ରତି ୧ ଟନ୍ ଖଣିଜ ପ୍ରକ୍ରିୟାକରଣ କରିବାର କ୍ଷମତା ରଖୁଛି।

ଅକ୍ଟୋବର ୨୦୨୫ରେ ବାଙ୍ଗୁର ଖଣିଠାରେ ଓଡ଼ିଶା ଖଣି ନିଗମ, ମିଣ୍ଟେକ୍ ଏବଂ CSIR-IMMT ର ମିଳିତ ଉଦ୍ୟମରେ କରାଯାଇଥିବା ଅଧ୍ୟୟନରୁ ପାଇଲଟ୍ ପ୍ଲାଣ୍ଟର ଡିଜାଇନ୍ ଏବଂ ପରିଚାଳନାର ବିଶେଷ ତଥ୍ୟ ସଂଗ୍ରହ କରାଯାଇଛି ।

ଏହି ଗୁରୁତ୍ବପୂର୍ଣ୍ଣ ସଫଳତା ଓଡ଼ିଶା ଖଣି ନିଗମର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରିଛି । ଏହା ଓଡ଼ିଶାକୁ ଉନ୍ନତ ଖଣିଜ ପ୍ରକ୍ରିୟାକରଣରେ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ କରିବା ସହ ଭାରତର ଖଣିଜ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।