ଯାଜପୁର: ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ କାଳିଆପାଣି ସ୍ଥିତ କ୍ରୋମଜୋନ୍ ପରିଦର୍ଶନ କରିଛନ୍ତି। ଏହି ସମୟରେ ସ୍ଥାୟୀ ଖଣି ଉତ୍ତୋଳନ, ମୂଲ୍ୟ ବୃଦ୍ଧି ଏବଂ କାର୍ଯ୍ୟକ୍ଷମ ଦକ୍ଷତା ବଢ଼ାଇବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି।

ସୁକ୍ରାଙ୍ଗୀ ଏବଂ ଦକ୍ଷିଣ କାଳିଆପାଣି ଖଣି ପରିଦର୍ଶନ ସମୟରେ, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସାମଲ ଓଭରବର୍ଡେନ ଡମ୍ପ୍ ଅଞ୍ଚଳ ଜମିର ସଠିକ୍ ବ୍ଯବସ୍ଥାପନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ପରିବହନ ବ୍ୟବସ୍ଥାକୁ ଅଧିକ ସୁଗମ ଓ ଦକ୍ଷ କରିବା ପାଇଁ ଖଣିଜ ପରିବହନ ସଡ଼କ ଭିତ୍ତିଭୂମିର ସୁଦୃଢ଼ୀକରଣ ନିମନ୍ତେ ନିର୍ଦ୍ଦେଶ ଦେବା ସହ ଦୀର୍ଘକାଳୀନ କାର୍ଯ୍ୟକ୍ଷମ ସ୍ଥିରତା ପାଇଁ ପରିବେଶ ଅନୁକୂଳ ପଦକ୍ଷେପଗୁଡିକୁ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ଏହାବ୍ୟତୀତ କ୍ରୋମ୍ ଓର୍ ବେନିଫିକେଏସନ୍ ପ୍ଲାଣ୍ଟରେ କ୍ଷମତା ସଂପ୍ରସାରଣ ଏବଂ ଉତ୍ପାଦକ ବୃଦ୍ଧି ପାଇଁ ଏକ ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅତ୍ୟାଧୁନିକ ପ୍ରକ୍ରିୟାକରଣ ମାଧ୍ୟମରେ ଖଣିଜ ସମ୍ପଦର ସର୍ବୋତ୍ତମ ବ୍ୟବହାର ଏବଂ ମୂଲ୍ୟଯୁକ୍ତ ଉତ୍ପାଦନ ବୃଦ୍ଧି କରିବାକୁ ଶ୍ରୀ ସାମଲ କହିଛନ୍ତି।

ଫେରୋକ୍ରୋମ୍ ପ୍ଲାଣ୍ଟର ସମୀକ୍ଷା କରିବା ସହ ସେ ଗତ ଆର୍ଥିକ ବର୍ଷର ପ୍ରଦର୍ଶନ ଏବଂ ଆଗାମୀ ଅଭିବୃଦ୍ଧିର ରୋଡମ୍ୟାପ୍ ଉପରେ ଆଲୋଚନା କରିଛନ୍ତି। ବାଙ୍ଗୁର ଏବଂ ଦକ୍ଷିଣ କାଳିଆପାଣି ଖଣିରୁ ଆସୁଥିବା ଖଣିଜ ପଦାର୍ଥର ସଠିକ୍ ମିଶ୍ରଣରୁ ପ୍ଲାଣ୍ଟର କାର୍ଯ୍ୟଦକ୍ଷତା ବଢ଼ାଇବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ଲାଣ୍ଟର ସଂପ୍ରସାରଣ ଓ ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି।

ବୈଜ୍ଞାନିକ ଓ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ ଓଏମସି ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ପରିବେଶ ପ୍ରତି ଦାୟିତ୍ବ ନିର୍ବାହ କରିବାକୁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ତେଣୁ ଆଗାମୀ ଦିନରେ ଏହି ରୋଡମ୍ୟାପ୍ ଓଡ଼ିଶା ଅର୍ଥନୈତିକ ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନେଇ ଆଶା ରଖିଛନ୍ତି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ । ଏହି ଅବସରରେ ଆଞ୍ଚଳିକ ପରିଚାଳକଙ୍କ ସମେତ ମୁଖ୍ୟ କାର୍ଯ୍ୟାଳୟ ଏବଂ ଆଞ୍ଚଳିକ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।