ଭୁବନେଶ୍ୱର, ୨୮/୧୦ : ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ଅର୍ଣ୍ଣବ । ଜାରି ରହିଛି ପ୍ରକ୍ରିୟା । ଏସବୁ ଭିତରେ ଓଡିଶାରେ ମଧ୍ୟ ବାତ୍ୟା ତାଣ୍ଡବ ରଚିବାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡିଶାରେ ପ୍ରବଳ ପବନ ସହ ଭୂସ୍ଖଳନର ସମ୍ଭାବନା ରହିଛି ।

ସ୍ଥଳଭାଗ ଛୁଇଁଲାବେଳକୁ ପବନ ପିଟୁଥିଲା ଘଣ୍ଟା ପ୍ରତି ୧୨୫-୧୩୫ କିଲୋମିଟର ବେଗରେ। ଝଟକା ପବନ ୧୫୦ କିମି ଯାଏଁ ଯାଇଥିବା ଅନୁମାନ କରାଯାଉଛି। ଅତି ପ୍ରବଳ ବର୍ଷା ବି ଅଜାଡ଼ିଛି । ମୋଡ଼ି ମକଚି ଦେଇଛି ଉପକୂଳବର୍ତ୍ତୀ ଆନ୍ଧ୍ର ଅଞ୍ଚଳକୁ।

Also Read :- ରାତିରେ ଲ୍ୟାଣ୍ଡଫଲ୍ କଲା ଓର୍ଣ୍ଣବ : ଆନ୍ଧ୍ରରେ ତାଣ୍ଡବ, ଭାଙ୍ଗିଲା ବିରାଟ ଗଛ ଓ ଘର

କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟି, ଦାରିଙ୍ଗିବାଡ଼ି ଘାଟି ରାସ୍ତାକୁ ଭୂସ୍ଖଳନ ଆଶଙ୍କାରେ ସିଲ୍ କରାଯାଇଛି। ଗଜପତି ଜିଲ୍ଲାରେ ଭୂସ୍ଖଳନ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଜପତିର ମହେନ୍ଦ୍ରଗିରି, ଗଣ୍ଡାହାତୀ ସମେତ ସମସ୍ତ ପର୍ଯ୍ୟଟନସ୍ଥଳକୁ ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ପୁରୀରେ ତୁହାକୁ ତୁହା ବର୍ଷା ହୋଇଥିବା ସମୁଦ୍ର ଅଶାନ୍ତ ରହିଛି। ଭୁବନେଶ୍ୱର, କଟକ, ପାରାଦୀପରେ ବି ବର୍ଷା ରହିଛି।

ଆଇଏମଡି ସୂଚନା ଅନୁସାରେ ବାତ୍ୟା ଓର୍ଣ୍ଣାବ ଅତି ଭୀଷଣ ରୂପ ନେବା ପରେ ଦ୍ରୁତ ଗତି ଧରିଥିଲା। ସମୁଦ୍ର ଭିତରେ ପବନ ବେଗ ବଢ଼ିବାରେ ଲାଗିଥିଲା ମଙ୍ଗଳବାର ସକାଳୁ । ରାତି ୮ଟା ପରେ ବାତ୍ୟାର ବାହ୍ୟବଳୟ ଆନ୍ଧ୍ର ଉପକୂଳକୁ ପ୍ରବେଶ କରିବା ଆରମ୍ଭ କରିଥିଲା । ରାତି ୨ଟାରୁ ୪ଟା ଭିତରେ କାକିନାଡ଼ାର ଦକ୍ଷିଣରେ ବାପଟେଲା-ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ୍ ହୋଇଥିଲା।

ବୁଧବାର ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଦକ୍ଷିଣ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି। ପବନ ବି ଲାଗି ରହିବ । ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବାତ୍ୟାର ସମ୍ଭାବ୍ୟ ଗତିପଥ ଟ୍ରାକରେ ପଡ଼ୁଥିବା କିମ୍ବା ନିକଟବର୍ତ୍ତୀ ଥିବାରୁ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମରେ ପ୍ରବଳରୁ ଅତି ଭୀଷଣ ବର୍ଷା ଓ ପବନ ଆଶଙ୍କା ଅଛି। ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ। ପବନ ରହିପାରେ ୪୦-୫୦ ବେଗରେ, ଝଟକା ପବନ ୬୦ କିମି ଯାଇପାରେ।

ବୁଧବାର ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ବି ପ୍ରବଳ ବର୍ଷା ସହ ୩୦-୪୦ ପବନ ବହିପାରେ । ଝଟକା ପବନ ୫୦ କିମି ଛୁଇଁପାରେ। ୨୯ରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଏବଂ ପଶ୍ଚିମ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ପବନ ବହିପାରେ ୩୦-୪୦ କିମି ଏବଂ ଝଟକା ୫୦ କିମି ଯାଇପାରେ।

ସୋଆ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁସାରେ ବାତ୍ୟା ପ୍ରଭାବରେ ବୁଧବାର ଅପରାହ୍ନ ପର୍ଯ୍ୟନ୍ତ ଦକ୍ଷିଣ ଓ ଉପକୂଳରେ ୬୦-୮୦ ପବନ ଏବଂ ବର୍ଷା ରହିପାରେ। ତା’ ସାଙ୍ଗକୁ ତାମିଲନାଡୁ ପଟୁ ଆସୁଥିବା ଅନ୍ୟ ଏକ ଲଘୁଚାପ ବୁଧବାର ସକାଳେ ଗଞ୍ଜାମରୁ ପୁରୀ ଭିତରେ ସ୍ଥଳଭାଗକୁ ପ୍ରବେଶ କରିବ। ଏହା ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ସହ ୭୫ରୁ ୧୦୦ କିମି ପର୍ଯ୍ୟନ୍ତ ପବନ ସମ୍ଭାବନା ଅଛି।

ଅପରପକ୍ଷରେ ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟରର ଆକଳନ ଅନୁସାରେ ଲ୍ୟାଣ୍ଡଫଲ୍ ସମୟରେ ପବନ ବେଗ ଢେର ଅଧିକ ଥିଲା । ପ୍ରାୟ ୧୯୦ କିମିରୁ ଅଧିକ ପବନ ବେଗ ଛୁଇଁଥିବା ଅନୁମାନ କରାଯାଉଛି। ଲ୍ୟାଣ୍ଡଫଲ୍ର ଦେଢ଼ ଘଣ୍ଟା ପରେ ବି ପବନ ତୀବ୍ରତା କମିନଥିଲା । ଆନ୍ଧ୍ର ଉପରେ ଏହାର ପ୍ରକୋପ ଅଧିକ ରହିପାରେ। ବୁଧବାର ସନ୍ଧ୍ୟା ପରେ ପବନ ବେଗ କମିଲେ ମଧ୍ୟ ୧୦୦ କିମିରୁ ଅଧିକ ବେଗ ରହିପାରେ। କିନ୍ତୁ, ଓଡ଼ିଶା ଭିତରକୁ ପ୍ରବେଶ ପରେ ଏହାର ତୀବ୍ରତା ଦ୍ରୁତ ଗତିରେ କମିପାରେ।