ଭୁବନେଶ୍ୱର: ଗତ କିଛି ଦିନ ଧରି ଅସହ୍ୟ ଗରମରେ ସିଝୁଥିବା ଓଡ଼ିଶାବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି। ଲଗାତାର ଦୁଇ ସପ୍ତାହ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ପରେ ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୨୮ ତାରିଖରୁ ରାଜ୍ୟର ପାଣିପାଗରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ଆଗାମୀ ପ୍ରାୟ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗିରହିବ।

  •  ଏପ୍ରିଲ ୨୮ରୁ ମେ ୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବଡ଼ ବର୍ଷା ହେବାର ଆଶଙ୍କା ରହିଛି।
  •  ଏପ୍ରିଲ ୨୯ ତାରିଖରେ ଏକ ଟ୍ରାପ ଲାଇନ ଓଡ଼ିଶା ଦେଇ ଗତି କରିବ, ଯାହା ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ।
  •  ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୭୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ।
  •  ଆସନ୍ତା ୩୦ ଏପ୍ରିଲରୁ ମେ ୨ ମଧ୍ୟରେ ରାଜ୍ୟର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ।

ଟ୍ରାପ ଲାଇନ ପ୍ରଭାବରେ ବଦଳିବ ପାଗ

ବାୟୁମଣ୍ଡଳରେ ଜଳୀୟବାଷ୍ପପୂର୍ଣ୍ଣ ଉତ୍ତପ୍ତ ବାୟୁ ପ୍ରବେଶ କରି ପ୍ରତିକ୍ରିୟାଶୀଳ ହେଉଥିବାରୁ କାଳବୈଶାଖୀ ସୃଷ୍ଟି ହେଉଛି। ବିଶେଷ କରି ୨୯ ତାରିଖରେ ଓଡ଼ିଶା ଦେଇ ଅତିକ୍ରମ କରିବାକୁ ଥିବା ଟ୍ରାପ ଲାଇନ ଯୋଗୁଁ କାଳବୈଶାଖୀର ପ୍ରଭାବ ଅଧିକ ରହିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିବାର ସମ୍ଭାବନା ରହିଛି। ଆଜିଠାରୁ ହିଁ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ଦେଖିବାକୁ ମିଳିଲାଣି।

Also Read:ମୋଦିଙ୍କ ଷ୍ଟାଇଲକୁ ଫଲୋ କରୁଛି କି TMC ? ପରିବା ଦୋକାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

​​​​​​​୨୦ରୁ ଅଧିକ ଜିଲ୍ଲାକୁ ସତର୍କ ସୂଚନା

ପାଣିପାଗ ବିଭାଗ ପକ୍ଷରୁ ୨୦ରୁ ଅଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି। କୋରାପୁଟ, ରାୟଗଡ଼ା, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ଆଲର୍ଟ (Alert) ଜାରି ହୋଇଛି। ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ଆଜିଠାରୁ ମେ ୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

Also Read:Eggs Are Pure Vegetarian: ଏଭଳି ଦାବି କଲେ ଖାଦ୍ୟ ବିଶେଷଜ୍ଞ, ଅଣ୍ଡାକୁ ନେଇ ଆପଣଙ୍କ ମତ କଣ ?

ପଶ୍ଚିମ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ

କାଳବୈଶାଖୀ ସୂଚନା ମଧ୍ୟରେ ଆସନ୍ତାକାଲି ପାଇଁ କିଛି ଜିଲ୍ଲାରେ ହୀଟ ୱେଭ ୱାର୍ଣ୍ଣିଂ (Heat Wave Warning) ଜାରି କରାଯାଇଛି। ବିଶେଷ କରି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ର କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଦିନ ସହ ରାତିରେ ମଧ୍ୟ ଅସହ୍ୟ ଗରମ ଅନୁଭବ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ୨୯ ତାରିଖରୁ ସମଗ୍ର ଓଡ଼ିଶାର ପାଗରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ ଏବଂ ପାରଦ ଖସିବ।