ଭୁବନେଶ୍ଵର: ଆସୁଛି ଲଘୁଚାପ ।ସୃଷ୍ଟି ହେବାକୁ ଯାଉଛି ଚଳିତ ମୌସୁମୀ ଋତୁର ପ୍ରଥମ ଲଘୁଚାପ । ୩ ତାରିଖରେ ଲଘୁଚାପ ସମ୍ଭାବନା। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଭାବରେ ଆଗାମୀ ୭ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ବର୍ତ୍ତମାନ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ସମୁଦ୍ର ପତ୍ତନରୁ ପ୍ରାୟ ୧.୫ ରୁ ୫.୮ କି.ମି. ଉଚ୍ଚତା ମଧ୍ୟରେ ରହିଛି।ଯାହାର ପ୍ରଭାବରେ ଜୁଲାଇ ୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ମୌସୁମୀର ସକ୍ରିୟତା ଓ ଲଘୁଚାପ ପ୍ରଭାବରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୨ ତାରିଖରୁ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Also Read: ତୁହାକୁ ତୁହା ବର୍ଷିବ ! ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଆସନ୍ତା ୨୪ ଘଣ୍ଟାରେ କେଉଁଝର,ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ କୋରାପୁଟ, ରାୟଗଡ଼ା,ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ,ଭଦ୍ରକ,କେନ୍ଦ୍ରାପଡ଼ା ,ଜଗତସିଂହପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଏହା ସହ ନବରଙ୍ଗପୁର,କଳାହାଣ୍ଡି, କନ୍ଧମାଳ,ନୂଆପଡ଼ା, ବଲାଙ୍ଗୀର, ସୋନପୁର,ବରଗଡ଼,ଦେଓଗଡ଼, କେଉଁଝର, ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜାରି ହୋଇଛି ୟେଲୋ ଆଲର୍ଟ ଜାରି ହୋଇଛି।ସେପଟେ ଓଡିଶା ଉପକୂଳରେ ୪୦ ରୁ ୫୦ କିମି ସର୍ବାଧିକ ୬୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୩ ଓ ୪ ତାରିଖରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମମାଧ୍ୟକୁ ଯିବାକୁ ବାରଣ କରାଯାଇଛି ।