ଭୁବନେଶ୍ୱର: ଆକାଶରେ କଳାହାଣ୍ଡିଆ ମେଘ। ଚାରିଆଡ଼େ ଅନ୍ଧାର ଏମିତି ଯେ, ସକାଳଟା ପୂରା ସନ୍ଧ୍ୟା ଭଳି ଭ୍ରମ। ଗରମ ଓ ଗୁଳୁଗୁଳିରୁ ତ୍ରାହି ପାଇବା ପାଇଁ ଅପେକ୍ଷା କରିଥିବା ଟ୍ୱିନ୍ ସିଟି ବାସିନ୍ଦାଙ୍କୁ ଶେଷରେ ମିଳିଛି ବଡ଼ ଆଶ୍ୱସ୍ତି। ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ପବନ। କିନ୍ତୁ ସେପଟେ ବର୍ଷା ସାଧାରଣ ଲୋକଙ୍କ ପାଇଁ କିଛି ମାତ୍ରାରେ ସମସ୍ୟା ସୃଷ୍ଟି କରିଛି। ସକାଳୁଆ ସ୍କୁଲ ଯାଉଥିବା କୁନି କୁନି ଛାତ୍ରଛାତ୍ରୀ ଏବଂ ଜରୁରୀ ଅଫିସ୍ କାମରେ ବାହାରିଥିବା କର୍ମଚାରୀମାନେ ଏହି ହଠାତ୍ ବର୍ଷାରେ ଅଟକି ଯାଇଛନ୍ତି। ଯାତାୟାତ ବାଧାପ୍ରାପ୍ତ ହେବା ସହ ଜନଜୀବନ କିଛି ସମୟ ପାଇଁ ଥମି ଯାଇଛି।

ଗରମ ଗୁଳୁଗୁରୁ ମିଳିଲା ଆଶ୍ବସ୍ତି। କେବଳ ଟ୍ଵିନ ସିଟି ନୁହେଁ ରାଜ୍ୟର ଅନ୍ୟ ସ୍ଥାନରେ ବର୍ଷା ହେବାକୁ ନେଇ ମଧ୍ୟ ପୂର୍ବାନୁମାନ କରିଛି ଆଇଏମଡି । ଆସନ୍ତା ୨୪ ଘଣ୍ଟା ପାଇଁ ୭ଟି ଜିଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ରହିଛି। କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୁରଭଞ୍ଜ, ରାୟଗଡା, ଗଜପତି,ଓ କନ୍ଧମାଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଏହା ଛଡା ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡିଶା ରେ ବର୍ଷାକୁ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ନୟାଗଡ଼, ଗଂଜାମ, ଅନୁଗୁଳ ଢେଙ୍କାନାଳ ସହ ପଶ୍ଚିମ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରିରହିବ। ସୋଆ ସିଇସି ଙ୍କ ସୂଚନା ଅନୁଯାୟୀ ୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ଅଧିକ ଘନୀଭୂତ ହେବ।