ଭୁବନେଶ୍ୱର: ଓଡ଼ିଶାକୁ ମୁଣ୍ଡ ବିନ୍ଧାଇଲାଣି ଲଘୁଚାପ। ଦେଢ଼ ମାସ ଧରି ତୁହାକୁ ତୁହା ବର୍ଷା ପରେ ଏବେ ଆଗକୁ ଆସିବ ଲଘୁଚାପ। ଏବେ ପୁଣି ତିନି ତିନିଟା ଘୂର୍ଣ୍ଣିବଳୟ। ଗୋଟିଏ ରହିଛି ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ । କେନ୍ଦ୍ରୀୟ ମିଆଁମାର ଉପରେ ରହିଛି ଆଉ ଏକ ଘୂର୍ଣ୍ଣିବଳୟ । ସେହିପରି ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପରେ ବି ରହିଛି ଏକ ଘୂର୍ଣ୍ଣିବଳୟ । ଅପରପକ୍ଷରେ ପୂର୍ବ ମଧ୍ୟପ୍ରଦେଶ ଉପରେ ଲଘୁଚାପ ବି ଅଛି।

ପାଣିପାଗ ବିଜ୍ଞାନୀ ବିଶ୍ୱଜିତ ସାହୁଙ୍କ ଆକଳନ ଅନୁସାରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ଥିବା ଘୂର୍ଣ୍ଣିବଳୟ ସେତେ ପ୍ରଭାବୀ ହେବା ସମ୍ଭାବନା କମ୍ । ହେଲେ ମିଆଁମାର ଉପରେ ଥିବା ଘୂର୍ଣ୍ଣିବଳୟ ଓ ବାଂଲାଦେଶ ନିକଟରେ ଥିବା ଘୂର୍ଣ୍ଣିବଳୟ ମିଶି ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି କରିପାରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ । ସମ୍ଭବତଃ ୨୩ ତାରିଖବେଳକୁ ଏହା ଲଘୁଚାପ ରୂପ ନେଇପାରେ । ଏହା ପ୍ରଭାବରେ ଓଡ଼ିଶାରେ ୨୨ ତାରିଖ ରାତିରୁ ବର୍ଷା ଆରମ୍ଭ ହେବା ସମ୍ଭାବନା ଅଛି । କିନ୍ତୁ, ୨୩ରୁ ୨୫ ଯାଏ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ଉତ୍ତର ଓଡ଼ିଶା ଏବଂ ଉପକୂଳ ଅଞ୍ଚଳରେ ହିଁ ଏହା ଅଧିକ ବର୍ଷା କରାଇବା ସମ୍ଭାବନା ଅଛି । ପୁଣି ଥରେ ଉତ୍ତର ଓଡ଼ିଶାକୁ ବଡ଼ ବର୍ଷା ଆଶଙ୍କା ବଢ଼ିଛି ।

also read- ଭୁବନେଶ୍ୱର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ, ଜଳିଗଲା ଦୋକାନ

ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ଜାରି ପୂର୍ବାନୁମାନରେ କୁହାଯାଇଛି, ଶନିବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବିଶେଷ କରି ପଶ୍ଚିମ ଓ ଉତ୍ତର ଉପକୂଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କେନ୍ଦୁଝର, କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁରର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୨୩ ତାରିଖରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ଓ କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ୨୪ ଓ ୨୫ରେ ଅଧିକ ବର୍ଷା ହୋଇପାରେ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି ସେହି ସମୟରେ । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶା ସହ ପାଖ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ଅଛି । କେତେକ ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି । ୨୬ ଯାଏଁ ବର୍ଷା ପ୍ରକୋପ ଅଧିକ ରହିପାରେ ।