ଚଣ୍ଡିଖୋଲ: ହକ୍ ପାଇଁ ବ୍ଲକ ସମ୍ମୁଖରେ ଧାରଣା । ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ବଡ଼ଚଣା ବ୍ଲକ ସମ୍ମୁଖରେ ଧାରଣା ଦିଆଯାଇଛି । ଅବସରପ୍ରାପ୍ତ ଓ କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ ତଥା ଶିକ୍ଷା କର୍ମଚାରୀଙ୍କ ପାଇଁ ଚାକିରି ସର୍ତ୍ତାବଳୀ ସହ ପେନସନ ପ୍ରଦାନ, ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀକରଣ, ଖାଲି ପଡ଼ିଥିବା ସ୍ଥାନରେ ଶିକ୍ଷକ ନିଯୁକ୍ତି କରିବା ସହ ବିଭିନ୍ନ ଦାବି ନେଇ ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଆନ୍ଦୋଳନକାରୀଙ୍କ ଅଭିଯୋଗ ଯେ ସରକାର ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରୁ ନାହାନ୍ତି । ଏନେଇ ଏକ ଦାବି ପତ୍ର ବଡ଼ଚଣା ବ୍ଲକ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିଲା । ଆଗାମୀ ଦିନରେ ଯଦି ସରକାର ସମସ୍ତ ଦାବି ପୂରଣ ନ କରନ୍ତି ତେବେ ଆସନ୍ତା ଅଗଷ୍ଟ ୧୬ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଜାରି ରହିବ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି ।