ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ। ପ୍ରବଳରୁ ଅତି ପ୍ରବଳ ବର୍ଷାରେ ବେହାଲ ଉତ୍ତର ଓଡ଼ିଶା। ଲଗାଣ ବର୍ଷା ଯୋଗୁଁ ସଙ୍କଟରେ ମୟୂରଭଞ୍ଜ ଜିଲ୍ଲା। ଜଳମଗ୍ନ ଅନେକ ତଳିଆ ଅଞ୍ଚଳ। ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି IMD। ଆଉ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନେଇଛନ୍ତି ବଡ଼ ନିଷ୍ପତ୍ତି। ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। କୋମଳମତି ଶିଶୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଅବିଶ୍ରାନ୍ତ ବର୍ଷା। ଆଉ ତଳେ ବଢ଼ୁଛି ଚିନ୍ତା। ଲଗାଣ ବର୍ଷାରେ ବେହାଲ ମୟୂରଭଞ୍ଜ। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ବୃଦ୍ଧି ପାଇଛି ଆଶଙ୍କା। ଏହି ସ୍ଥିତିକୁ ଗୁରୁତର ସହ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ଜାରି କରିଛନ୍ତି ଜରୁରୀ ନିର୍ଦ୍ଦେଶ।

ଜିଲ୍ଲାର ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଆଜି ବନ୍ଦ ରହିବ। ଏହାସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି। ବର୍ଷା ଯୋଗୁଁ ରାସ୍ତାଘାଟରେ ପାଣି ଜମିଥିବାରୁ ଏବଂ ନଦୀନାଳର ଜଳସ୍ତର ବୃଦ୍ଧି ପାଉଥିବାରୁ ପିଲାଙ୍କ ସୁରକ୍ଷା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛନ୍ତି।

also read-  ଲାଗି ରହିବ ଲଘୁଚାପ ବର୍ଷା, ୧୭ ଜିଲ୍ଲାରେ କାଚିବ, ଡରାଇଲାଣି ଆଉ ଏକ ବନ୍ୟା

ଅପରପକ୍ଷରେ, ବର୍ଷା ସ୍ଥିତି ଉପରେ କଡ଼ା ନଜର ରଖିଛି ଜିଲ୍ଲା ଜରୁରୀକାଳୀନ ବିଭାଗ। ଆବଶ୍ୟକ ସ୍ଥଳେ ସରପଞ୍ଚ ଓ ସ୍ଥାନୀୟ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।