ଭୁବନେଶ୍ୱର ୦୮।୦୮ : ଉତ୍ତର ଓଡ଼ିଶାରେ ବନ୍ୟା ଦୁର୍ଦ୍ଦଶା ଥମିନି । ଏବେ ବି କେତେକ  ଅଞ୍ଚଳ ଜଳବନ୍ଦୀ । ଏପଟେ ସାଳନ୍ଦୀ ଉଛୁଳି ମାଡ଼ି ଆସିଲାଣି । ଜଳକା  ବି ବିପଦ ସଙ୍କେତ ଉପରେ ବହୁଛି। ବୈତରଣୀ ଜଳସ୍ତର ବିପଦ ସଙ୍କେତ  ମୁହାଁ ହେଉଥିବାବେଳେ ବ୍ରାହ୍ମଣୀ ଓ  ସୁବର୍ଣ୍ଣରେଖା ଧିମେଇ ଧିମେଇ ଫୁଲୁଛି । ସ୍ଥିତିକୁ ଗମ୍ଭୀର କରିପାରେ  ଅବିଶ୍ରାନ୍ତ ବର୍ଷା। ଆସନ୍ତା ୧୭  ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ପ୍ରାୟତଃ ମଧ୍ୟମ ଧରଣର ବର୍ଷା ହେବ। କେତେକ ଜାଗାରେ  ପ୍ରବଳ ବର୍ଷା ବି ହୋଇପାରେ ବୋଲି  ଶିକ୍ଷା ଓ ଅନୁସନ୍ଧାନ (ସୋଆ)  ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର  (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ  ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି । 

Also Read:-ଚୀନକୁ କଡ଼ା ଜବାବ ଦେଲା ଭାରତ; ଅରୁଣାଚଳ ପ୍ରଦେଶର ୨୭ଟି ସ୍ଥାନ ସରକାରୀ ମାନଚିତ୍ରରେ ସାମିଲ

ଭାରତୀୟ ପାଣିପାଗ ବିଭାଗ  ସୂଚନା ଦେଇଛି, ଗାଙ୍ଗେୟ ପଶ୍ଚିମବଙ୍ଗ  ଓ ପାଖ ବାଂଲାଦେଶ ଉପରେ ଥିବା ଘୂଣ୍ଣି ର୍ବଳୟ ଘନୀଭୂତ ହେଉଛି। ଶନିବାରକୁ ଲଘୁଚାପ ରୂପ ନେଇ  ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ  ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ରହିବ । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ମୌସୁମୀ ଟ୍ରଫ୍‌ ସହ ସମାନ୍ତରାଳ ଭାବେ  ଗାଙ୍ଗେୟ ପଶ୍ଚିମବଙ୍ଗ, ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିବ ।  ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ । 

ଶନିବାର ସକାଳ ଭିତରେ ରାଜ୍ୟର ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା  ଆଶଙ୍କା ରହିଛି । କେନ୍ଦ୍ରୀୟ ଓଡ଼ିଶା ଏବଂ ଦକ୍ଷିଣରେ  କେତେକ ଜାଗାରେ ବି ପ୍ରବଳ ବର୍ଷା ସମ୍ଭାବନା ଅଛି । ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ଅତି  ପ୍ରବଳ ବର୍ଷା ହୋଇପାରେ । ଶନିବାର ରାଜ୍ୟର  ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ପ୍ରବଳତର  ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ,  ସୁବର୍ଣ୍ଣପୁର, ବୌଦ୍ଧ,  ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା  ଅଛି । ଏହାବାଦ ଅନେକ ଜାଗାରେ ଘଡ଼ଘଡ଼ି ସହ  ବର୍ଷା ହୋଇପାରେ । ଆସନ୍ତା ୧୩ ଯାଏ ରାଜ୍ୟରେ  ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ସତର୍କ  କରାଇଛି । ତା’ପରେ ବି ବିଶେଷ ପରିବର୍ତ୍ତନ ହେବା  ସମ୍ଭାବନା ନଥିବା କୁହାଯାଉଛି । ଚିନ୍ତାର ବିଷୟ ପାଲଟିଛି ଜଳକା, ସାଳନ୍ଦୀ ଓ  ବୈତରଣୀ । ଜଳକା ମଥାନୀରେ ବିପଦ ସଙ୍କେତ  ଟପି (୬.୫୦ମିଟର) ୬.୫୪ ମିଟରରେ ପହଞ୍ଚି  ଯାଇଥିଲା । କିନ୍ତୁ, ଅପରାହ୍ନ ୩ଟାରୁ ଜଳସ୍ତର ୬.୫୨  ମିଟର ରହିଛି । ଗତ କିଛି ଘଣ୍ଟା ହେବ ଜଳସ୍ତର  ସ୍ଥିର ରହିଛି । ଜଳକା ନଦୀର ଜଳସ୍ତର ବଢ଼ିବାରୁ  ବାଲେଶ୍ୱରରେ ଭୟ ବଢ଼ିଛି ।