ଭୁବନେଶ୍ବର ୧୭।୪: ଓଡ଼ିଶା ରାଜନୀତିରେ 'ବିଜୁ ଲିଗାସୀ' । 'ବିଜୁ ଲିଗାସୀ' ବା ବିଜୁ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ? ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଆତ୍ମପ୍ରକାଶ କରିଛି ‘ଓଡ଼ିଶା ନାଗରିକ ମଞ୍ଚ’ । ବିଜୁ ତିରୋଧାନ ଦିବସ ଅବସରରେ ବିଜୁ ଅନୁଗତ ତଥା ବିଜୁ ପ୍ରେମୀ ଏହି ମଞ୍ଚ ଗଢ଼ିଛନ୍ତି ।

ଭୁବନେଶ୍ବର ଓୟୁଏଟି ଅଡିଟୋରିୟମରେ ବିଶାଳ ସମାବେଶରେ ଏକତ୍ର ହୋଇଛନ୍ତି ବହୁ ବିଜୁ ଲିଗାସୀ ନେତା । ଶ୍ରଦ୍ଧାଞ୍ଜଳି ସଭାରେ ଅନେକ ବରିଷ୍ଠ ନେତାଙ୍କ ମେଳି । ସଭାର ପ୍ରତିନିଧିତ୍ୱ କରିଥିଲେ ବରିଷ୍ଠ ନେତା ବିଜୟ ମହାପାତ୍ର, ସାଂସଦ ଦିଲ୍ଲୀପ ରାୟଙ୍କ ସହ ସୌମ୍ୟରଞ୍ଜନ ପଟ୍ଟନାୟକ । ଅନ୍ୟତମ ମଂଚାସୀନ ଅତିଥି ଭାବେ ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ରବି ପାଣି, ନିରଞ୍ଜନ ପଟ୍ଟନାୟକ, ଏନ୍ ଭାସ୍କର ରାଓ, ଲାଲ ବିହାରୀ ହିମରିକା ପ୍ରମୁଖ ଉପସ୍ଥିତ ଥିଲେ । ଏହାସହିତ ବରିଷ୍ଠ ସାହିତ୍ୟିକ, ପ୍ରଶାସକ, ସାମ୍ବାଦିକ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର, ରମାକାନ୍ତ ଭୋଇ ମଧ୍ୟ ସଭାରେ ଉପସ୍ଥିତ ଥିଲେ ।

Also Read:- Naveen Patnaik pays tribute to Biju Patnaik: ଦେଶଭକ୍ତି, ସାହସ ଓ ସ୍ୱାଭିମାନ ପାଇଁ ବିଜୁ ବାବୁ ଆଜି ଅମର ରହିଛନ୍ତି ଓ ରହିଥିବେ

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବିଜୁ ପଟ୍ଟନାୟକଙ୍କ ଡ୍ରାଇଭର, ରୋଷେୟାଙ୍କ ପରିବାରରୁ ଜଣ ଜଣଙ୍କୁ ସମ୍ମାନିତ କଲା ଓଡ଼ିଶା ନାଗରିକ ମଞ୍ଚ । ଏହି ଅବସରରେ ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ବିଜୁ ବାବୁଙ୍କ ବିଷୟରେ ବହୁ ଲୋକ ବାହାରେ ବହୁତ କଥା କହୁଛନ୍ତି । ହେଲେ ବିଜୁ ବାବୁଙ୍କ ବାସ୍ତବ ପରିବାରକୁ କେବେ ସମ୍ମାନିତ କରାଯାଇ ନ ଥିଲା । ବିଜୁ ପଟ୍ଟନାୟକଙ୍କ ଡ୍ରାଇଭର, ରୋଷେଇୟାଙ୍କ ପରିବାରରୁ ଜଣ ଜଣଙ୍କୁ ସମ୍ମାନିତ କରିବା ସହ ବିଜୁ ବାବୁଙ୍କ ଟାଇପିଷ୍ଟଙ୍କୁ ସମ୍ମାନିତ କରି ଆମେ ଗର୍ବିତ ।

ଦିଲ୍ଲୀପ ରାୟ କହିଛନ୍ତି, ବିଜୁଙ୍କ କାର୍ଯ୍ୟ ଆଦର୍ଶ କେତେ ପ୍ରଭାବ ପକାଇଛି ତାହା ପ୍ରକୃତ ବିଜୁ ଲିଗାସୀ । ଆଜିର କାର୍ଯ୍ୟକ୍ରମ ଫ୍ୟାମିଲି ଗେଟ୍ ଟୁଗେଦର ଭଳି ଲାଗିଲା । ବିଜୁ ଲିଗାସୀ କଥା ଟିଭି ଓ ସୋସିଆଲ ମିଡ଼ିଆରେ ଚାଲିଛି । ବିଜୁଙ୍କ ରୋଷେୟା, ଖଇରାତି, ଡ୍ରାଇଭର ଓ ଟାଇପିଷ୍ଟ ହେଲେ ପ୍ରକୃତ ବିଜୁ ଲିଗାସୀ । ବିଜୁଙ୍କ କାର୍ଯ୍ୟ ଆଦର୍ଶ କେତେ ପ୍ରଭାବ ପକାଇଛି ତାହା ପ୍ରକୃତ ବିଜୁ ଲିଗାସୀ । ଯେଉଁ ମାନେ ବିଜୁ ବାବୁଙ୍କୁ ଦେଖି ନାହାନ୍ତି, ଜାଣି ନାହାନ୍ତି ସେମାନେ ବିଜୁ ବାବୁଙ୍କ କଥା ଆମକୁ ବୁଝାଉଛନ୍ତି । ବିଜୁ ବାବୁଙ୍କ ସ୍ନେହ, ଉପଦେଶ, ରାଗ ସବୁ ଦେଖିଛି । ବିଜୁ ବାବୁଙ୍କ ଶେଷ ଦେଢ଼ ବର୍ଷ ତାଙ୍କ ସେବା କରିବାର ସୁଯୋଗ ପାଇଛି ବୋଲି ଦିଲ୍ଲୀପ ରାୟ କହିଛନ୍ତି ।