ଭୁବନେଶ୍ବର ୧୭।୪: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ । ବିଜୁ ବାବୁଙ୍କୁ ଆଜି ମନେ ପକାଉଛି ସାରା ଓଡ଼ିଶା । ରାଜ୍ୟର ସବୁ ସ୍ଥାନରେ ବିଜୁ ବାବୁଙ୍କୁ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ପ୍ରତିଟି ଓଡ଼ିଆଙ୍କ ସ୍ୱାଭିମାନ, ମହାନ ଜନନାୟକ ବିଜୁ ବାବୁଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶରେ ସବୁ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ କରିବା ପାଇଁ ଆମେ ସଦା ସମର୍ପିତ ବୋଲି ନବୀନ କହିଛନ୍ତି ।

ଏହି ଅବସରରେ ନବୀନ କହିଛନ୍ତି, ଆଜି ଆମର ପ୍ରିୟ ନେତା ମହାନ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ବିଜୁ ବାବୁଙ୍କର ସବୁଠାରୁ ବଡ଼ ପରିଚୟ ହେଉଛି ସେ ଜଣେ ମହାନ ଦେଶଭକ୍ତ ଥିଲେ । ତାଙ୍କ ଦେଶଭକ୍ତି, ସାହସ ଓ ସ୍ୱାଭିମାନ ପାଇଁ ସେ ଆଜି ଅମର ରହିଛନ୍ତି ଓ ରହିଥିବେ । 

Also Read:- Death anniversary of Biju Patnaik: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ, ମନେ ପକାଉଛି ସାରା ଓଡ଼ିଶା

ବିଜୁ ବାବୁ ଥିଲେ ଆକାଶ ପରି ବିଶାଳ । ମାଟି ପରି ସହିଷ୍ଣୁ । ହିମାଳୟ ପରି ତୁଙ୍ଗ । କିନ୍ତୁ ଆପଣ ଜାଣନ୍ତି, ଓଡ଼ିଶା ରାଜନୀତିରେ କିଛି ଲୋକ ସବୁବେଳେ ବିଶ୍ୱାସଘାତକତା ଭୂମିକାରେ ଖୁସି ହୁଅନ୍ତି । ସେମାନେ ମନେ ରଖିବା ଉଚିତ, କୌଣସି ମୁଖା ବେଶୀ ଦିନ ପର୍ଯ୍ୟନ୍ତ ସେମାନଙ୍କର ପାପକୁ ଲୁଚାଇ ପାରିବ ନାହିଁ । ଲୋକମାନେ ଜାଣନ୍ତି କିଏ କ'ଣ ? ଆପଣ ଜାଣନ୍ତି, ଓଡ଼ିଶା କ୍ରମାଗତ କେନ୍ଦ୍ର ସରକାରଙ୍କ ଦ୍ୱାରା ଅବହେଳାର ଶିକାର ହୋଇଛି । ଏବେ ଡିଲିମିଟେସନ ବିଲ୍ ଓଡ଼ିଆଙ୍କ ରାଜନୈତିକ ପରିଚୟ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଆ ସ୍ୱାଭିମାନ ଆଜି ବିପଦରେ । ଆମ ପ୍ରିୟ ଓଡ଼ିଶା ପାଇଁ ସମସ୍ତେ ଏକାଠି ଲଢିବାର ସମୟ ଆସିଛି ।

​​​​​​​Watch Video: