ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ବିଭିନ୍ନ ଅଞ୍ଚଳରେ ରାସ୍ତା ଓ ସରକାରୀ କୋଠା ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ନଜରକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ନିର୍ମାଣ ବିଭାଗ ଅଧୀନରେ ଥିବା ରାସ୍ତା ଓ ଜାତୀୟ ରାଜପଥ ଗୁଡ଼ିକର ତୁରନ୍ତ ମରାମତି ଓ ପୁନରୁଦ୍ଧାର କରି ଯାତାୟତ ଉପଯୋଗୀ କରିବା ଓ କୋଠାବାଡ଼ି ର ମରାମତି ପାଇଁ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I ଲଘୁଚାପ ଜନିତ ବର୍ଷା ଓ ବନ୍ୟା ସ୍ଥିତି ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ପ୍ରଭାବିତ ରାସ୍ତା, ସେତୁ ଓ କୋଠା ଗୁଡିକର ଶୀଘ୍ର ମରାମତି ଉପରେ ଗୁରୁତ୍ୱ ଦେଇଥିଲେ I

ପରେ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ୍ ଲିମିଟେଡ୍, ଇଞ୍ଜିନିୟର-ଇନ୍-ଚିଫ୍ (ସିଭିଲ୍-କମ୍-ରୋଡ୍ସ), ଜାତୀୟ ରାଜପଥ ପ୍ରାଧିକରଣ (NHAI), ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (MoRTH)ର ଆଞ୍ଚଳିକ କାର୍ଯ୍ୟାଳୟ ସମେତ ରାସ୍ତା, ସେତୁ ଓ ଜାତୀୟ ରାଜପଥ ସଂଗଠନର ସମସ୍ତ ମୁଖ୍ୟଯନ୍ତ୍ରୀଙ୍କୁ ପତ୍ର ଜାରି କରାଯିବା ସହ କ୍ଷତିଗ୍ରସ୍ତ ସଡ଼କର ତୁରନ୍ତ ମରାମତି ଏବଂ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବାକୁ କୁହାଯାଇଛି। ଏଥି ସହିତ ବନ୍ୟା ପ୍ରଭାବିତ ଅଞ୍ଚଳରେ ଯାତାୟତ ସ୍ୱାଭାବିକ କରିବାକୁ ନିର୍ମାଣ ବିଭାଗ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।

Also Read: ପ୍ରବଳ ବର୍ଷା ଆଲର୍ଟ ! ସ୍କୁଲ ଓ ଅଙ୍ଗନବାଡି ବନ୍ଦ ଘୋଷଣା କଲେ ଜିଲ୍ଲାପାଳ

ଆହୁରି ଏହି ପ୍ରସଙ୍ଗକୁ "ଅତ୍ୟନ୍ତ ଜରୁରୀ" ଭାବେ ବିବେଚନା କରି ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ସ୍ଥିତି ଉପରେ ନିରନ୍ତର ନଜର ରଖି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଜନସାଧାରଣଙ୍କ ସୁରକ୍ଷିତ ଯାତାୟତ ସୁନିଶ୍ଚିତ କରିବାକୁ ପତ୍ର ଜରିଆରେ ସବୁ କ୍ଷେତ୍ରସ୍ତରୀୟ ଅଧିକାରୀ ଓ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।