ଭୁବନେଶ୍ବର: ଚାରି ଦିନର ଧାରଣା ପରେ ଶେଷରେ ପାଚିକା ମହାସଂଘର ଦାବି ଶୁଣିଲେ ସରକାର। ୭ ଦଫା ଦାବିରେ ଲୋୟର ପିଏମଜିରେ ଧାରଣାରେ ବସିଥିବା ହଜାର ହଜାର ପାଚିକାଙ୍କ ଦାବି ଶୁଣିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବକେୟା ଦରମା, ପରିଚୟ ପତ୍ର ପ୍ରଦାନ, ଦରମା ବୃଦ୍ଧି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ।

ସୂଚନାଥାଉକି, ବୁଧବାରଠାରୁ ୭ ଦଫା ଦାବି ସହ ତିନି ମାସର ଦରମା ମିଳିନଥିବା ପ୍ରତିବାଦରେ ଲୋୟର ପିଏମଜିରେ ଧାରଣାରେ ବସିଥିଲେ ଓଡ଼ିଶା ମଧ୍ୟାହ୍ଣ ଭୋଜନ ପାଚକ ପାଚିକା ରାଜ୍ୟସଂଘର ହଜାର ହଜାର ପାଚିକା। ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ବିରାଟ ସଭାରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂ ଯୋଗଦେଇ ସମସ୍ୟାର ସମାଧାନ ପାଇଁ ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି ଦାବି ରଖିଥିଲେ। ଯଦି ସରକାର ଏଥିରେ ହେଳା କରନ୍ତି ତାହାଲେ ଆନ୍ଦୋଳନରୁ ନ ଓହରିବାକୁ ସଂଘ ତରଫରୁ ଧମକ ମଧ୍ୟ ଦିଆଯାଇଥିଲା।

Also Read: ଗାଡ଼ି ଧକ୍କାରେ ଚାଲିଗଲେ ମୁରବୀ, କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ଧାରଣା

ଏପରିକି ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ହେବା ସହ ପାଚିକାମାନେ କାର୍ଯ୍ୟରୁ ନିବୃତ୍ତ ରହିବେ ବୋଲି ସଭାପତି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସମାବେଶରେ ଅନୁଷ୍ଠାନର ବିଭିନ୍ନ ସଦସ୍ୟ, ସଦସ୍ୟାଙ୍କ ସହ ସମସ୍ତ ଜିଲ୍ଲା, ବ୍ଲକ୍ର କର୍ମକର୍ତ୍ତା ଏବଂ ହଜାର ହଜାର ସଂଖ୍ୟାରେ ପାଚିକା ଉପସ୍ଥିତ ରହି ନିଜର ଦାବି ଜଣାଇଥିଲେ।ତେବେ ବର୍ତ୍ତମାନ ସରକାରଙ୍କ ପ୍ରତିଶ୍ରୁତି ମିଳିବା ପରେ ପାଚିକା ସଂଘ ପକ୍ଷରୁ ସ୍ବାଗତ କରାଯାଇଛି।