ଭୁବନେଶ୍ୱର ୧୦।୧୧ : ଭତ୍ତା ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବନି। ଦୀର୍ଘଦିନ ଧରି ପେନସନ୍ ଅପେକ୍ଷାରେ ଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ମଧୁବାବୁ ପେନସନ୍ ଯୋଜନାରେ ଯୋଡ଼ି ହେବେ ଆଉ ୫ ଲକ୍ଷ ୫ ହଜାର ୮୧୭ ଜଣ ହିତାଧିକାରୀ। ନଭେମ୍ବର ୧୦ ତାରିଖରେ ବାଲେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

ଏହି ନିଷ୍ପତ୍ତି ଦ୍ୱାରା ଦୀର୍ଘଦିନ ଧରି ଭତ୍ତା ଅପେକ୍ଷାରେ ଥିବା ଯୋଗ୍ୟ ବ୍ୟକ୍ତିମାନେ ଉପକୃତ ହେବେ। ଏଥିସହ ଭତ୍ତା ପାଇବା ପ୍ରକ୍ରିୟାକୁ ମଧ୍ୟ ଅଧିକ ସରଳ କରାଯାଇଛି। ଏଣିକି ଯୋଗ୍ୟ ଆବେଦନକାରୀଙ୍କୁ ଭତ୍ତା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବନି। ନୂଆ ଆବେଦନକାରୀମାନେ ନିଜ ବ୍ଲକ୍ର ବିଡିଓ କାର୍ଯ୍ୟାଳୟ କିମ୍ବା ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର ଯୋଗ୍ୟତା ଯାଞ୍ଚ ପରେ ନିୟମ ଅନୁଯାୟୀ ପେନସନ୍ ପ୍ରଦାନ କରାଯିବ।

Also Read:-୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କସରତ : ଜାନୁଆରୀ ୧୫ ସୁଧା ତାରିଖ ଘୋଷଣା କରିବେ କମିଶନ

ସେହିପରି ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ମଧ୍ୟ ରହିଛି ଆଉ ଏକ ବଡ଼ ଆଶ୍ୱସ୍ତି। ଯେଉଁ ହିତାଧିକାରୀଙ୍କ ବୟସ ୮୦ ବର୍ଷ ହେବ, ସେମାନଙ୍କୁ ସ୍ୱତଃପ୍ରବୃତ୍ତ ଭାବେ ବର୍ଦ୍ଧିତ ହାରରେ ଭତ୍ତା ମିଳିବ। ଏଥିପାଇଁ ଆଉ ନୂଆ ଆବେଦନ କରିବାକୁ ପଡ଼ିବନି। ତେବେ ଦୀର୍ଘଦିନ ଧରି ଭତ୍ତା ଅପେକ୍ଷାରେ ଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏହି ପଦକ୍ଷେପ କେତେ ଆଶ୍ୱସ୍ତି ଆଣିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।