ଭୁବନେଶ୍ଵର : ରାଜ୍ୟରେ ଦରଦାମ ସ୍ଥିତିରେ ଆସୁନି ସୁଧାର । ମାସ ପରେ ମାସ ଓଡ଼ିଶାରେ ମୁଦ୍ରାସ୍ଫୀତି ନୂଆ ରେକର୍ଡ କରୁଛି । ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଏବେ ପଞ୍ଚମ ମହଙ୍ଗା ବଜାର ରହିଛି। ଅର୍ଥାତ୍ ଦେଶର ଅନ୍ୟାନ୍ୟ ପ୍ରାନ୍ତ ତୁଳନାରେ ରାଜ୍ୟବାସୀ ବିଭିନ୍ନ ସାମଗ୍ରୀ ଏବଂ ସେବା ପାଇଁ ଅଧିକ ଟଙ୍କା ଗଣୁଛନ୍ତି । ପିଆଜ, ଅଦା,ରସୁଣଠାରୁ ଆରମ୍ଭ କରି ତେଲ , ଚାଉଳ , ପନିପରିବା ସବୁକିଛି ହୋଇଛି ମହଙ୍ଗା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଜାରି ହୋଇଥିବା ତଥ୍ୟ ଅନୁସାରେ, ଗତ ଅକ୍ଟୋବର ମାସରେ ରାଜ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ୭.୧୭% ଛୁଇଁଛି। ଏହା ଜାତୀୟ ହାରାହାରି ୬.୦୯% ତୁଳନାରେ ୧.୦୮% ଅଧିକ। ତେବେ ମାସକରେ ରାଜ୍ୟରେ ମୁଦ୍ରାସ୍ଫୀତି ୦.୪୭% ବଢ଼ିଛି। ସେପ୍ଟେମ୍ବରରେ ଏହା ୬.୭୦% ରହିଥିଲା ।

ଗ୍ରାମୀଣ ଓଡ଼ିଶାରେ ସ୍ଥିତି ଏବେ ଅସମ୍ଭାଳ ହୋଇପଡ଼ିଛି । ଦେଶର ଅନ୍ୟ ପ୍ରାନ୍ତଗୁଡ଼ିକ ତୁଳନାରେ ଗ୍ରାମୀଣ ଓଡ଼ିଶାରେ ଲୋକଙ୍କ ଉପରେ ଚାପ ଅଧିକ ପଡୁଛି । ରାଜ୍ୟସ୍ତରରେ ତାମିଲନାଡୁରେ ମୁଦ୍ରାସ୍ଫୀତି ହାର ସବୁଠୁ ଅଧିକ ୭.୨୯% ରହିଛି। ୭.୨୬% ସହିତ ତେଲଙ୍ଗାନା ଦ୍ବିତୀୟ ସ୍ଥାନରେ ରହିଛି । ଆନ୍ଧ୍ରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଏହା ଯଥାକ୍ରମେ ୭.୨୫% ଏବଂ ୭.୧୯% ରହିଛି। ଏନ.ଏସ.ଓ ତଥ୍ୟ ଅନୁସାରେ, ଖାଦ୍ୟ ଦର ବୃଦ୍ଧି ଯୋଗୁ ଅକ୍ଟୋବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କର ସହ୍ୟ ସୀମା ୬%କୁ ପାର କରିଯାଇଛି। ଚଳିତ ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୬.୦୯% ରହିଛି । ୨ ବର୍ଷରେ ଏହା ସର୍ବୋଚ୍ଚ ସ୍ତର ଅଟେ । ସେପ୍ଟେମ୍ବରରେ ଏହା ୫.୫୪% ଥିଲା । ଲଗାତର ୧୨ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି, ଯାହାକି ହାକି ୨୦୨୫ ଅକ୍ଟୋବରରେ ୦.୦୪% ଥିଲା। ଦେଶର ଗ୍ରାମା ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ୬.୦୮%ରୁ ବଢ଼ି ୬.୬୩% ହୋଇଛି। ସହରାଞ୍ଚଳରେ ଏହା ୪.୮୮%ରୁ ବଢ଼ି ୫.୪୧% ହୋଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ମୁକାବିଲା ପାଇଁ ରେପୋରେଟକୁ ୨୫ ବେସିସ୍ ପଏଣ୍ଟ ବଢ଼ାଇବାର ମାତ୍ର କେଇ ସପ୍ତାହ ପରେ ଏହି ଅଙ୍କ ପ୍ରକାଶ ପାଇଛି। ଚଳିତବର୍ଷ ଅକ୍ଟୋବରରେ ଦେଶରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୯୪% ରହିଛି। ଏହା ଗ୍ରାମାଞ୍ଚଳରେ ୯.୦୯% ଏବଂ ସହର ହରାଞ୍ଚଳରେ ୮.୬୮% ରହିଛି। ପିଆଜ ଦର ସବୁଠୁ ଅଧିକ ବଢ଼ିଛି। ଏଥିରେ ଦରଦାମ ବୃଦ୍ଧି ହେଉଛି ୧୧୬.୨୨% । ରସୁଣ ଦର ୬୦.୭୪% ବଢ଼ିଛି। ଏହା ପଛକୁ ରୂପା ଗହଣା ଦାମ ୫୨.୩୯%, ଅଦା ୪୮.୩୨% ଏବଂ ଲେମ୍ବୁ ୪୭.୩୦% ମହଙ୍ଗା ହୋଇଛି। ତେବେ ଦୁଇ ବର୍ଷରେ ପ୍ରଥମ ଥର ପାଇଁ ଖୁଚୁରା ମୁଦ୍ରାସ୍ଫୀତି ୬% ସ୍ତର ଅତିକ୍ରମ କରିଛି ।