ଭୁବନେଶ୍ୱର: ମେଧାବୀ ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ସ୍ୱପ୍ନ ପୂରଣ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆଣିଛି ଏକ ବଡ଼ ସୁଯୋଗ। ବିଦେଶରେ ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର ସ୍କୋଲାରସିପ୍ ଯୋଜନାରେ ଆବେଦନ କରିବାର ସମୟସୀମାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନର ଶେଷ ତାରିଖ ଅଗଷ୍ଟ ୩୧ ଥିବା ବେଳେ, ଏବେ ଛାତ୍ରଛାତ୍ରୀମାନେ ଆସନ୍ତା ସେପ୍ଟେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ନିଜର ଆବେଦନ ପତ୍ର ଦାଖଲ କରିପାରିବେ।

କାହାକୁ ମିଳିବ ଏହି ସୁଯୋଗ ?

ରାଜ୍ୟର ଗରିବ ତଥା ମେଧାବୀ SC ଏବଂ ST ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସ୍ନାତକୋତ୍ତର (Post Graduation) ଏବଂ ପିଏଚ୍ଡି (Ph.D) ପାଠପଢ଼ା ପାଇଁ ବିଦେଶ ପଠାଯିବ। ଏହି ଯୋଜନାର ଲାଭ ନେବା ପାଇଁ ଆବେଦନକାରୀଙ୍କ ପରିବାରର ବାର୍ଷିକ ଆୟ ୧୨ ଲକ୍ଷ ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକ।

ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟରେ ପଢ଼ିବେ ଓଡ଼ିଆ ପିଲା

ଏହି ସ୍କୋଲାରସିପ୍ ଯୋଜନା ଅଧୀନରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ବିଦେଶର ପ୍ରସିଦ୍ଧ QS ୱାର୍ଲ୍ଡ ରାଙ୍କିଂ (QS World University Rankings) ର ପ୍ରଥମ ୨୦୦ଟି ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ପଢ଼ିବାର ସୁଯୋଗ ପାଇବେ। ସେମାନଙ୍କର ପାଠପଢ଼ା ଏବଂ ରହିବା-ଖାଇବାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

ମୋଟ ୫୦ ଜଣଙ୍କୁ ମିଳିବ ବୃତ୍ତି

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଚଳିତ ଶିକ୍ଷାବର୍ଷରେ ମୋଟ ୫୦ ଜଣ SC ଓ ST ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ବିଦେଶ ପଠାଯିବ। ଅଧିକରୁ ଅଧିକ ଯୋଗ୍ୟ ଛାତ୍ରଛାତ୍ରୀ ଯେପରି ଏହାର ଫାଇଦା ଉଠାଇପାରିବେ, ସେଥିପାଇଁ ଆବେଦନ ସମୟସୀମାକୁ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Also Read: ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ମିଳିବନି ତ୍ରାହି, ଚାଲାଣ କାଟିଦେବ ଏଆଇ କ୍ୟାମେରା