ବୌଦ୍ଧ : ଦିନେ ନିଜର ଭିନ୍ନ ଶାରୀରିକ ରୂପକୁ ନେଇ ଚର୍ଚ୍ଚାରେ ଥିଲେ ଲୋମଷ କନ୍ୟା ରେବତୀ। ବିଭିନ୍ନ ଗଣମାଧ୍ୟମରେ ତାଙ୍କୁ ନେଇ ଖୁବ୍ ପ୍ରସାରଣ ହୋଇଥିଲା। ସେହି ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ବାପା ମାଆ ଛେଉଣ୍ଡ ରେବତୀ ଯେ ବିବାହ ବନ୍ଧନରେ ଆବଦ୍ଧ ହୋଇ ନୂଆ ସଂସାର ଗଢିବେ କାହାର ବିଶ୍ୱାସ ନ ଥିଲା। କିନ୍ତୁ ଭାଗ୍ୟ ସାଥ୍ ଦେଲା। ଆଉ ଭଗବାନଙ୍କ ଇଚ୍ଛାରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ରେବତୀ। ପ୍ରେମିକ ପିତବାସ ସାହୁଙ୍କ ହାତ ଧରିଲେ ନିଜ ଗାଁ ଖଳିସାହିରେ ଠାକୁରାଣୀଙ୍କ ନିକଟରେ ।  ଅନେକ ସଂଘର୍ଷ ପରେ ମିଳିଥିବା ଜୀବନର ଏହି ନୂଆ ଅଧ୍ୟାୟ ପାଇଁ ଗ୍ରାମବାସୀ ନବଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ତଳଙ୍ଗା ଗ୍ରାମ ପଞ୍ଚାୟତର ଖଳିସାହି ଗ୍ରାମର ରେବତୀ କହଁର। କିଛିଦିନ ହେବ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ସୁବଳୟା ଗ୍ରାମର ପିତବାସ ସାହୁଙ୍କୁ ଭଲ ପାଇ ଆସୁଥିଲେ। ସମୟକ୍ରମେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହେବା ସହ ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ଶନିବାର ପିତବାସ ସାହୁ ଖଳିସାହି ଗ୍ରାମରେ ପହଞ୍ଚିଥିଲେ। ଗ୍ରାମବାସୀ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଗ୍ରାମର ଠାକୁରାଣୀଙ୍କ ନିକଟରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ପିତବାସ ରେବତୀଙ୍କ ମଥାରେ ସିନ୍ଦୂର ଦେବା ସହ ମଙ୍ଗଳସୂତ୍ର ପିନ୍ଧାଇଥିଲେ। ଏହାପରେ ଉଭୟେ ବରଣ ମାଳ ବଦଳ କରି ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଥିଲେ। ଉପସ୍ଥିତ ଗ୍ରାମବାସୀ ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ସହ ନୂତନ ଜୀବନ ପାଇଁ ଶୁଭକାମନା ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ରେବତୀଙ୍କ ବାପାମାଆଙ୍କ ଦେହାନ୍ତ ହୋଇଥିବାରୁ ସେ ଦୀର୍ଘଦିନ ଧରି ଛେଳି ଚରାଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ତାଙ୍କର ଭିନ୍ନ ଶାରୀରିକ ରୂପକୁ ନେଇ ଏକଦା ରାଜ୍ୟ ତଥା ଜାତୀୟ ସ୍ତରରେ ଲୋମଷ କନ୍ୟା ନାମରେ ବ୍ୟାପକ ଚର୍ଚ୍ଚା ହୋଇଥିଲା। ତାଙ୍କ ସମ୍ପର୍କରେ ଜାଣିବା ଓ ତାଙ୍କୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକଙ୍କ ସୁଅ ଛୁଟିଥିଲା। ଏପରିକି ବିଦେଶୀ ସମାଜସେବୀମାନେ ମଧ୍ୟ ତାଙ୍କୁ ଆର୍ଥିକ ସହାୟତାର ହାତ ବଢ଼ାଇଥିଲେ। ସେହିପରି ପ୍ରଶାସନ ପକ୍ଷରୁ ତାଙ୍କ ମୁହଁରେ ଦୁଇଥର ଅସ୍ତ୍ରୋପଚାର କରାଯିବା ସହ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଇଥିଲା। ଏଥିସହ ଆବାସ ଯୋଜନାରେ ତାଙ୍କୁ ଗୃହ ମଧ୍ୟ ଯୋଗାଇ ଦିଆଯାଇଥିଲା।

 Also Read- OSSTET Result: ପ୍ରକାଶ ପାଇଲା OSSTET ରେଜଲ୍ଟ, ପାସ୍ ହାର ୭୯.୧୫ ପ୍ରତିଶତ

ଜୀବନର ଅନେକ ସଂଘର୍ଷମୟ ପରିସ୍ଥିତି ଦେଇ ଗତି କରିଥିବା ରେବତୀଙ୍କ ବିବାହ ଖବର ପୁଣିଥରେ ତାଙ୍କୁ ଚର୍ଚ୍ଚାକୁ ଆଣିଛି। ନବଦମ୍ପତିଙ୍କ ଆଗାମୀ ଦାମ୍ପତ୍ୟ ଜୀବନ ସୁଖମୟ ଓ ମଙ୍ଗଳମୟ ହେଉ ବୋଲି ଅଞ୍ଚଳବାସୀ ଶୁଭକାମନା ଜଣାଇଛନ୍ତି।