ବ୍ରହ୍ମପୁର ୨୩।୧୧: ଗଞ୍ଜାମରେ ବାତ୍ୟା ଏବଂ ବର୍ଷା ଜନିତ କ୍ଷୟକ୍ଷତିରେ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ଅଞ୍ଚଳରେ ପହଞ୍ଚି ବାତ୍ୟା ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଚାଷ ଜମିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ଛତ୍ରପୁର ବ୍ଲକ୍ର ବାଉଳଗାଁ ଗସ୍ତ କରିଥିଲେ । ସେଠାରେ ଫସଲର କ୍ଷୟକ୍ଷତି ଆକଳନ ଓ ସ୍ଥିତି ସମୀକ୍ଷା କରିଛନ୍ତି । ଏହାପରେ ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ । ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ।

ସମୀକ୍ଷା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏରିଅଲ୍ ସର୍ଭେ କରିବା ସହ ଦୁଇଟି ସ୍ଥାନରେ ଅନୁଧ୍ୟାନ କରିଥିବା କହିଛନ୍ତି l ବାତ୍ୟା ‘ଅର୍ଣ୍ଣବ’ ଏବଂ ‘ଅକଭାନ୍’ ପ୍ରଭାବରେ ଚାଷ ଫସଲ ନଷ୍ଟ ହୋଇଛି l ଜିଲ୍ଲା ପ୍ରଶାସନ ସଫଳ ମୁକାବିଲା କରିଛି l ୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା l ଅର୍ଣ୍ଣବ ବାତ୍ୟା ସମୟରେ ୨ ଲକ୍ଷ ୧୧ ହଜାର ଲୋକ ଓ ‘ଅକଭାନ୍’ ସମୟରେ ଲକ୍ଷେ ୫୪ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା l ପାହାଡିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା l ମହାପ୍ରଭୁ ଜଗନ୍ନାଥଙ୍କ କୃପା ଯୋଗୁଁ ‘ଅକଭାନ୍’ରୁ ବର୍ତ୍ତି ଯାଇଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ବାତ୍ୟାର ପୂର୍ବ ଏବଂ ପରର ସ୍ଥିତିକୁ ଜିଲ୍ଲାର ଦୁଇ ମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିଥିଲେ l ଦୁଇ ସାଂସଦ, ବିଧାୟକ ମାନେ ମଧ୍ୟ ପରିସ୍ଥିତି ଅନୁଧ୍ୟାନ କରିଥିଲେ l ଧାନ ଫସଲ ଅଧିକ ନଷ୍ଟ ହୋଇଛି l କ୍ଷୟକ୍ଷତିକୁ ସରକାର ଗମ୍ଭୀର ଭାବେ ନେଇଛନ୍ତି l

କ୍ଷୟକ୍ଷତି ଆକଳନ ପରେ କ୍ଷତିପୂରଣ ମିଳିବ l ଚାଉଳ ୮୦ ପ୍ରତିଶତ ଏବଂ ୬୦ ପ୍ରତିଶତ ଲୋକଙ୍କୁ ଟଙ୍କା ପ୍ରଦାନ କରାଯାଇଛି l ୨୫୦୯ ଲୋକଙ୍କୁ ଘରଭଙ୍ଗା ସହାୟତା ଟଙ୍କା ଦିଆଯାଇଛି l ଚଳିତ ମାସ ସୁଦ୍ଧା ସମସ୍ତ ପ୍ରଭାବିତ ଲୋକଙ୍କୁ ସହାୟତା ମିଳିବ l ରିଲିଫ୍ କୋଡ୍କୁ ପରିବର୍ତ୍ତନ କରି କ୍ଷତିପୂରଣ ବୃଦ୍ଧି କରାଯାଇଛି l ସରକାର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l ବିନା ରାସନ କାର୍ଡ ହିତାଧିକାରୀଙ୍କୁ ବି ମିଳିବ ସାହାଯ୍ୟ ସହଯୋଗ l ପ୍ରଭାବିତ ଦୋକାନୀ, ବ୍ୟବସାୟୀଙ୍କୁ ବି ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ l

ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଓ ଆସିକା ସାଂସଦ, ବିଧାୟକଗଣ, ଗଞ୍ଜାମ ଜିଲ୍ଲପାଳ ଭି. କୀର୍ତ୍ତି ଭାସନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ l