ପାଟଣା ୨୩।୧୧: ବାହାଘରକୁ ନେଇ ଉଭୟ ପରିବାରରେ ଥିଲା ଉତ୍ସାହ ଓ ଆନନ୍ଦ । ବାଜା, ବାଣ ରୋସଣୀରେ ବର ଆସି କନ୍ୟା ଘରେ ପହଞ୍ଚିଲା । ବିବାହ ବି ସମ୍ପନ୍ନ ହେଲା । ମାତ୍ର ବିବାହ ବେଦୀରେ ବରଙ୍କ ଅସ୍ୱାଭାବିକ ଆଚରଣ କନ୍ୟାଙ୍କୁ ବିଚଳିତ କରିଥିଲା । ବର ମଦ୍ୟପାନ କରି ଅସ୍ୱାଭାବିକ ଆଚରଣ କରିବାରୁ ଶେଷରେ ବିବାହ ପରେ ବିଦାୟ ସମୟରେ ଶାଶୁଘରକୁ ଯିବାକୁ ମନା କରିଦେଇଛି କନ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବୁଢ଼ୀକାପୁଡ଼ି ଗାଁରେ ।

ବିବାହ ଦୁଇଟି ମନର ମିଳନ ଦୁଇଟି ପରିବାରର ନୂଆ ସମ୍ପର୍କ । ହେଲେ ଏହି ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା ଭିନ୍ନ ଚିତ୍ର । ବିବାହ ବେଦୀରେ ରୀତିନୀତି ଚାଲିଥିବା ସମୟରେ ବର ମଦ୍ୟପାନ କରି ଅସ୍ୱାଭାବିକ ଆଚରଣ କରିଥିବା ଅଭିଯୋଗ ହୋଇଛି । ବରଙ୍କ ଏଭଳି ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କନ୍ୟା ଏବଂ ତାଙ୍କ ପରିବାର ଓ ବନ୍ଧୁବାନ୍ଧବ । ବିବାହ କାର୍ଯ୍ୟ ସମ୍ପନ୍ନ ହେବା ପରେ ବିଦାୟ ସମୟରେ ବରର ଆଚରଣକୁ ନେଇ ଅସନ୍ତୁଷ୍ଟ ଥିବା କନ୍ୟା ଶାଶୁଘରକୁ ଯିବାକୁ ସିଧାସଳଖ ମନା କରିଦେବାରୁ ଶିଶୁପାଳ ହୋଇ ଫେରିଛି ବର । ଫଳରେ ବିବାହ ଉତ୍ସବରେ ଉପୁଜିଥିଲା ଅପ୍ରୀତିକର ପରିସ୍ଥିତି ।

Also Read:- ଗଞ୍ଜାମ ବାତ୍ୟା ପୀଡ଼ିତଙ୍କୁ ସରକାରଙ୍କ ଆଶ୍ୱାସନ, ରାସନ କାର୍ଡ ନଥିଲେ ବି ମିଳିବ ସହାୟତା

ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ବୁଢ଼ୀକାପୁଡି ଗ୍ରାମର ଲମ୍ବୋଧର ମହାନ୍ତଙ୍କ ଝିଅ ସୀମା ମହାନ୍ତଙ୍କ ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଭଗାବନ୍ଧୀ ଗ୍ରାମର ସ୍ବର୍ଗତ ଭୁବନେଶ୍ୱର ମହାନ୍ତ ଓ କନକଲତା ମହାନ୍ତଙ୍କ ପୁଅ ପପୁନ୍ ମହାନ୍ତଙ୍କ ସହ ବିବାହ ଠକ୍ ହୋଇଥିଲା । ରବିବାର ରାତିରେ ବୈଦିକ ରୀତିରେ ବିବାହ ହେଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଏହି ଘଟଣାକୁ ନେଇ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ସରପଞ୍ଚଙ୍କ ଉପସ୍ଥିତିରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ ଅଳଙ୍କାର ଫେରାଇ ବର ଶିଶୁପାଳ ହୋଇ ଫେରିଛି ।