ଭୁବନେଶ୍ବର ୨।୯: ରାଜ୍ୟରେ କମିଲା PUCC ଫାଇନ୍ । ଗାଡ଼ି ମାଲିକ ଓ ଚାଳକ ମାନଙ୍କ ପାଇଁ ବଡ଼ ଆଶ୍ବସ୍ତି । ମୋଟର ଯାନ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ PUCC ଫାଇନ୍‌କୁ ସର୍ବାଧିକ ୧୦ ହଜାରରୁ ୬ ହଜାରକୁ ହ୍ରାସ ପାଇଛି । ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ପୂର୍ବରୁ PUCC ନ ଥିଲେ ଯେଉଁ ପରିମାଣର ଟଙ୍କା ଫାଇନ୍ ଦେବାକୁ ପଡୁଥିଲା, ତାହାକୁ କମାଇଛନ୍ତି ରାଜ୍ୟ ସରକାର । ୨୦୧୯ ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ଧାର୍ଯ୍ୟ ହୋଇଥିବା ୧୦ ହଜାର ଜରିମାନା ରାଶିକୁ ଏବେ ହ୍ରାସ କରାଯାଇଛି ।

ନୂଆ ସଂଶୋଧନ ଅନୁଯାୟୀ ମୋଟର ସାଇକେଲ୍ ଏବଂ ତିନି ଚକିଆ ଗାଡି ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ୧ ହଜାର ଏବଂ ଦ୍ବିତୀୟ ଥର ନିୟମ ଉଲ୍ଲଂଘନ କଲେ ୨ ହଜାର ଜରିମାନା ଦେବାକୁ ପଡିବ । ସେହିପରି କାର୍ କିମ୍ବା ଜିପ୍ ପାଇଁ ପ୍ରଥମ ଥର ୨ ହଜାର ଏବଂ ଦ୍ବିତୀୟ ଥର ନିୟମ ଉଲ୍ଲଂଘନ କଲେ ୫ ହଜାର ଜରିମାନା ଧାର୍ଯ୍ୟ ହୋଇଛି । ଟ୍ରାକ୍ଟର, ଟ୍ରେଲର ପ୍ରଥମ ଥର ପାଇଁ ୨ ହଜାର, ଦ୍ୱିତୀୟ ଥର ପାଇଁ ୫ ହଜାର ପାଇନ୍ ଲାଗିବ । ଅନନ୍ୟା ଯାନ ପ୍ରଥମ ଥର ପାଇଁ ୩ ହଜାର ଦ୍ବିତୀୟ ଥର ପାଇଁ ୬ ହଜାର ଫାଇନ୍ ଲାଗିବ । ୯୦ ଦିନରୁ ଅଧିକ ଦିନ ଇ-ଚାଲାଣ ବକେୟା ଥିଲେ PUCC ହୋଇପାରିବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।