ଭୁବନେଶ୍ଵର: ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ସମ୍ବନ୍ଧରେ ସାମାଜିକ ଗଣମାଧ୍ୟମରେ ଖବର ପ୍ରଚାରିତ ହୋଇଥିଲା। ଏପରିକି ଗଣମାଧ୍ୟମରେ ନିଯୁକ୍ତି ସଂପର୍କିତ ଖବର ବି ପ୍ରସାରିତ ହୋଇଥିଲା। ହେଲେ ଏହି ଖବର ସଂପୂର୍ଣ୍ଣ ଗୁଜବ ଏବଂ ଭିତ୍ତିହୀନ ବୋଲି କହିଛନ୍ତି ଖୋଦ୍ ଓଡ଼ିଶା ସରକାର। ଏ ନେଇ ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି।

ସମ୍ପ୍ରତି ଅର୍ଥ ବିଭାଗର ପତ୍ର ସଂଖ୍ୟା 10911/F, ତାରିଖ 24.04.2026 ନାମରେ ଏକ ଜାଲ୍ ଓ ସମ୍ପୂର୍ଣ୍ଣ ମନଗଢ଼ା ପତ୍ର ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି । ଏହି ଜାଲ୍ ପତ୍ରକୁ ଆଧାର କରି କେତେକ ଗଣମାଧ୍ୟମରେ ମଧ୍ୟ ସମ୍ବାଦ ପ୍ରକାଶ ପାଇଥିବା ଦେଖାଯାଇଛି, ଯାହା ସାଧାରଣ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିଛି।

Also Read: ଇଣ୍ଡୋନେସିଆ ପାର୍ଲାମେଣ୍ଟରେ ଗୁଞ୍ଜରିତ ହେଲା ବିଜୁ ପଟ୍ଟନାୟକଙ୍କ ବୀରତ୍ବର କଥା, ଭୂମିପୁତ୍ରକୁ ମନେ ପକାଇଲେ ପିଏମ ମୋଦୀ

ଉକ୍ତ ଜାଲ୍ ପତ୍ରରେ ଓସେପା ଅଧୀନରେ ୭୨୩୪ ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି ଓ ନିଯୁକ୍ତି ସହ ପ୍ରତି ଶିକ୍ଷକଙ୍କୁ ମାସିକ ୨୬୦୦୦ ପ୍ରଦାନ ପାଇଁ ଅର୍ଥ ବିଭାଗ ଅନୁମୋଦନ କରିଥିବା ବୋଲି ମିଥ୍ୟା ଦାବି କରାଯାଇଛି । ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ ଉକ୍ତ ପତ୍ରଟି ସମ୍ପୂର୍ଣ୍ଣ ଜାଲ୍, ମନଗଢ଼ା ଏବଂ ଅନଧିକୃତ । ଅର୍ଥ ବିଭାଗ ଦ୍ୱାରା ଏପରି କୌଣସି ପ୍ରସ୍ତାବ ଅନୁମୋଦନ କରାଯାଇନାହିଁ । ୭୨୩୪ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି କିମ୍ବା ନିଯୁକ୍ତି ସମ୍ପର୍କରେ ଉକ୍ତ ପତ୍ର ମାଧ୍ୟମରେ କୌଣସି ସରକାରୀ ଅନୁମୋଦନ ପ୍ରଦାନ କରାଯାଇନାହିଁ ।

ପତ୍ରରେ ଥିବା ଦସ୍ତଖତ, ପତ୍ର ସଂଖ୍ୟା, ବିଷୟବସ୍ତୁ ଓ ଅନୁମୋଦନ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ସରକାରୀ ଅଭିଲେଖରେ ଏହାର କୌଣସି ଆଧାର ନାହିଁ । ଜାଲ୍ ସରକାରୀ ପତ୍ର ପ୍ରସ୍ତୁତ କରି ପ୍ରଚାର କରିବା ଏକ ଗୁରୁତର ଅପରାଧ। ଏହି ଘଟଣା ସମ୍ପର୍କରେ ଉପଯୁକ୍ତ ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅବଗତ କରାଯାଇଛି।

ରାଜ୍ୟ ସରକାର ସାଧାରଣ ଜନତା ଓ ଗଣମାଧ୍ୟମକୁ ଅନୁରୋଧ କରୁଛନ୍ତି ଯେ, ସୋସିଆଲ ମିଡିଆରେ ପ୍ରଚାରିତ କୌଣସି ସରକାରୀ ପତ୍ରକୁ ଯାଞ୍ଚ ବିନା ବିଶ୍ୱାସ କିମ୍ବା ପ୍ରଚାର କରନ୍ତୁ ନାହିଁ । ସରକାରୀ ସୂଚନା କେବଳ ସରକାରୀ ବିଜ୍ଞପ୍ତି, ୱେବସାଇଟ୍ କିମ୍ବା ସମ୍ପୃକ୍ତ ବିଭାଗରୁ ହିଁ ନିଶ୍ଚିତ କରନ୍ତୁ। ସରକାର ସର୍ବଦା ସଠିକ୍ ଓ ପ୍ରାମାଣିକ ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରତିବଦ୍ଧ।