ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଗୁରୁବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ରାଜ୍ୟପାଳ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଓଡ଼ିଶାର ବିକାଶମୂଳକ କାର୍ଯ୍ୟ ଏବଂ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଛି।

ଏହି ବୈଠକ କାଳରେ ରାଜ୍ୟପାଳ ଡ. କମ୍ଭମପାଟୀ ଓଡ଼ିଶାରେ ଚାଲିଥିବା ବିଭିନ୍ନ କେନ୍ଦ୍ର ସରକାରଙ୍କ ଯୋଜନାର ସଫଳ ରୂପାୟନ ଏବଂ ଏହାର ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହା ସହିତ ଭୁବନେଶ୍ୱରସ୍ଥିତ 'ଓଡ଼ିଶା ଲୋକ ଭବନ' ନିକଟରେ ହାସଲ କରିଥିବା ଏକ ବଡ଼ ସଫଳତା ବାବଦରେ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି। ନିକଟରେ ଲୋକ ଭବନକୁ ମିଳିଥିବା ସମ୍ମାନଜନକ ଆଇଜିବିସି (IGBC) ପ୍ଲାଟିନମ୍ ସାର୍ଟିଫିକେସନ୍ ସମ୍ପର୍କରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନାରେ ମୁଖ୍ୟତଃ ରାଜ୍ୟର ପ୍ରଗତି ଏବଂ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ଯୋଜନାଗୁଡ଼ିକର ତୃଣମୂଳ ସ୍ତରରେ କାର୍ଯ୍ୟାନ୍ବୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟୀ ପରସ୍ପରକୁ ସ୍ମାରକୀ ଉପହାର ପ୍ରଦାନ କରିଥିଲେ।