ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। ପ୍ରଶାସନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ ଓ ଗତିଶୀଳ କରିବା ଲକ୍ଷ୍ୟରେ ଏକାଧିକ ବରିଷ୍ଠ ଆଇଏଏସ୍  ଅଧିକାରୀଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇଛି। ରାଜସ୍ୱ, କୃଷି, ନଗର ଉନ୍ନୟନ ଏବଂ ବିଭିନ୍ନ ନିଗମ ସ୍ତରରେ ଏହି ବଦଳି ନିର୍ଦ୍ଦେଶ ଜାରି ହୋଇଛି।

ନୂତନ ନିଯୁକ୍ତି ଅନୁଯାୟୀ, ବରିଷ୍ଠ ଆଇଏଏସ୍ ଅଧିକାରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସମ୍ବଲପୁରର ନୂତନ ଆରଡିସି  ଭାବେ ନିଯୁକ୍ତ କରାଯାଇଛି। ଏହାସହିତ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ସେହିପରି ଅନ୍ୟତମ ବରିଷ୍ଠ ଅଧିକାରୀ ବିଜୟ ଅମୃତ କୁଲାଙ୍ଗେଙ୍କୁ ବ୍ରହ୍ମପୁର ଆରଡିସି  ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ଅନ୍ୟପଟେ କୃଷି ଓ ଉନ୍ନୟନ କ୍ଷେତ୍ରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଉମା ଟୁଡୁଙ୍କୁ ରାଜ୍ୟ କୃଷି ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିବା ବେଳେ ଶୁଭମ ସକ୍ସେନା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA)ର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଗଭାଲି ପରାଗ ହର୍ଷଙ୍କୁ ଜାତୀୟ ଖଣିଜ ମିଶନ୍ (NMM)ର ପରିଚାଳନା ନିର୍ଦ୍ଦେଶକ (MD) ଭାବେ ନିଯୁକ୍ତ କରାଯାଇଛି।

ଏହା ବ୍ୟତୀତ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଉଦ୍ୟାନ କୃଷି (Horticulture) ନିର୍ଦ୍ଦେଶକ ଭାବେ ଅତିରିକ୍ତ ଭାର ଦିଆଯାଇଛି। ପ୍ରଣତୀ ଛୋଟରାୟଙ୍କୁ ‘ଓମ୍‌ଫେଡ୍‌’ର ମ୍ୟାନେଜିଂ ଡାଇରେକ୍ଟର (MD) ଦାୟିତ୍ୱ ମିଳିଥିବା ବେଳେ ସୁବ୍ରତ ପଣ୍ଡାଙ୍କୁ ଓଡ଼ିଶା କୃଷି ଶିଳ୍ପ ନିଗମ (OAIC)ର MD ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି।