ଭୁବନେଶ୍ଵର: ନଦୀରୁ ବନ୍ୟା ଜଳ ହ୍ରାସ ପାଉଥିଲେ ବି ଖାଉଟିଙ୍କ ପିଠିରୁ ଓହ୍ଲାଉନି ଆକାଶଛୁଆଁ ପରିବା ଦରର ମହଙ୍ଗା ମାଡ଼। ଲଗାଣ ବର୍ଷା ଓ ପାଣି ଜମି ରହିବା ଯୋଗୁଁ ଗୋଟିଏ ପଟେ ବିଲରେ ପଚି ଅବ୍ୟବହୃତ ହୋଇପଡ଼ିଛି ଚାଷୀର ପନିପରିବା, ତ ଆଉ ଗୋଟିଏ ପଟେ ଯୋଗାଣ ଶୃଙ୍ଖଳା ସମ୍ପୂର୍ଣ୍ଣ ବ୍ୟାହତ ହେବାରୁ ହାଟ-ବଜାରରେ ସୃଷ୍ଟି ହୋଇଛି କୃତ୍ରିମ ସଙ୍କଟ। ବାଇଗଣରୁ କାଙ୍କଡ଼ କିମ୍ବା ଟମାଟୋରୁ ଝୁଡ଼ଙ୍ଗ ସବୁଥିରେ ଦରର ନିଆଁ ଏତେ ତେଜିଛି ଯେ, ହାଟକୁ ଗଲେ ବି ୫୦୦ ଟଙ୍କିଆ ନୋଟ୍‌ରେ ବ୍ୟାଗ୍‌ ଅଧା ବି ଭରୁନି। ବନ୍ୟାର ଦାଉ ସାଙ୍ଗକୁ ରୋଷେଇ ଘର ବଜେଟ୍‌ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିବାରୁ ଏବେ ବଜାରକୁ ଗଲେ ଗ୍ରାହକଙ୍କ ଆଖିରୁ ଲୁହ ଝରୁଛି।

ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ଏବେ ଖାଉଟିଙ୍କ ପିଠିରେ ପଡ଼ିଛି ମହଙ୍ଗା ମାଡ଼। ବଙ୍କୀ, ଆଠଗଡ଼, ତିଗିରିଆ, ଢେଙ୍କାନାଳ, ଯାଜପୁର ଭଳି ପ୍ରମୁଖ ପରିବା ଚାଷ ଅଞ୍ଚଳରେ ଫସଲ ଉଜୁଡ଼ିଯିବା ଯୋଗୁଁ ବଜାରକୁ ଆବଶ୍ୟକ ପନିପରିବା ଆସିପାରୁନାହିଁ। ଫଳରେ ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ହାଟରେ ଆକାଶଛୁଆଁ ହୋଇଛି ପରିବା ଦର।

Also Read: ୧୬ ଅଗଷ୍ଟ ଶେଷ ତାରିଖ ! ସାରି ଦିଅନ୍ତୁ e-KYC: ନଚେତ୍ ମିଳିବନି ଶସ୍ତାରେ ଗ୍ୟାସ ସିଲିଣ୍ଡର

ଗ୍ରାହକ ହାଟକୁ ଗଲେ ଶହେ ଗ୍ରାମ୍-୨୫୦ ଗ୍ରାମ୍ ପରିବା ଧରି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି। କଞ୍ଚାଲଙ୍କା ୧୩୦ରୁ ୧୫୦, ଦେଶୀ କାଙ୍କଡ଼ ୨୮୦, ବିନ୍ସ ୧୨୦, ପୋଟୋଳ, କଲରା , କାଙ୍କଡ଼ , କ୍ୟାପ୍ସିକମ୍, ୮୦ ରୁ ୧୦୦, ଝୁଡୁଙ୍ଗ, ଫୁଲକୋବି, ବାଇଗଣ ୬୦, କାକୁଡି, ୫୫, ଟମାଟୋ, ଗାଜର, ବନ୍ଧା କୋବି, ଭେଣ୍ଡି , କୁନ୍ଦୁରି ୪୦ ରୁ ୪୫ ଟଙ୍କା ରହିଛି । ଯାହାକୁ ନେଇ ଅସନ୍ତୋଷ ସାଧାରଣ ଗରିବ ଓ ମଧ୍ୟବିତ୍ତ ଲୋକ ।

ଅନ୍ୟପଟେ ବନ୍ୟା ଓ ଲଗାଣ ବର୍ଷାର ମାଡ଼ କେବଳ ଖାଉଟିଙ୍କୁ ନୁହେଁ, ବରଂ ବ୍ୟବସାୟୀଙ୍କ ମେରୁଦଣ୍ଡକୁ ବି ଦୋହଲାଇ ଦେଇଛି। ଚାଷଜମିରେ ଦୀର୍ଘଦିନ ଧରି ପାଣି ଜମି ରହିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଏକର ଏକର ପରିବା ଫସଲ ପଚିନଷ୍ଟ ହୋଇଯାଇଥିବା ବେଳେ ଯୋଗାଣ ଶୃଙ୍ଖଳା ସମ୍ପୂର୍ଣ୍ଣ ସ୍ଥାଣୁ ହୋଇପଡ଼ିଛି। ଯେଉଁ ମଣ୍ଡିରୁ ଦିନକରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ପରିବା ଗୋଦାମକୁ ଆସୁଥିଲା, ସେଠାରେ ଏବେ ପରିବା ବୋଝେଇ ଗାଡ଼ିର ଦର୍ଶନ ମିଳିବା କାଠିକର ପାଠ ହୋଇଛି ।

Also Read: ​​​​​​​ବିଗିଡ଼ିଲା ସାଧାରଣ ଖାଉଟିଙ୍କ ବଜେଟ୍, ପରିବା ପରେ ଏବେ ଚିନି ଦର ଉପରମୁହାଁ

ଆମଦାନୀ ହ୍ରାସ ପାଇବା ଫଳରେ ବ୍ୟବସାୟୀମାନେ ନିଜେ ଚଢ଼ା ଦରରେ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି, ଯାହାର ସିଧାସଳଖ ପ୍ରଭାବ ଖୁଚୁରା ବଜାର ଉପରେ ପଡ଼ୁଛି। ତେବେ ଉଚ୍ଚା ଦର ଭୟରେ ଗ୍ରାହକମାନେ ଆବଶ୍ୟକତାଠାରୁ ଖୁବ୍‌ କମ୍‌ ପରିବା କିଣୁଥିବାରୁ, ବଜାରରେ ଏବେ ଗାଡ଼ି ଗାଡ଼ି ପରିବା ବଦଳରେ କେବଳ ମାନ୍ଦା ବ୍ୟବସାୟର ନିରାଶା ଛାଇଯାଇଛି । ବନ୍ୟା ବିଭୀଷିକା କେବଳ ଚାଷୀର ମେରୁଦଣ୍ଡ ଭାଙ୍ଗିନି, ବରଂ ସାଧାରଣ ଖାଉଟିଙ୍କୁ ମଧ୍ୟ ସମସ୍ୟାରେ ପକାଇଛି । ଏକର ଏକର ଜମି ନ ଶୁଖିଲେ ନୂଆ ଅମଳ ନ ହେଲେ ଏବଂ ହାଟକୁ ଆବଶ୍ୟକ ପରିବା ଆମଦାନୀ ନହେଲେ ଦର ନିୟନ୍ତ୍ରଣକୁ ଆସିବା ଅସମ୍ଭବ ମନେହେଉଛି ।