ଭୁବନେଶ୍ବର: ପରିବା ଦର ପରେ ଏବେ ବଜାରରେ ଚିନି ତାତି । ମାତ୍ର କିଛି ଦିନରେ ହୁ ହୁ ହୋଇ ବଢ଼ିଗଲାଣି ଚିନି ଦର। ଯାହାକୁ ନେଇ ଚିନ୍ତାରେ ଗ୍ରାହକ। କେବଳ ଘରୋଇ ଗ୍ରାହକ ନୁହଁନ୍ତି, ଚିନି ଦର ବୃଦ୍ଧି ଯୋଗୁ ଚା' ଦୋକାନୀ ଓ ମିଠା ବ୍ୟବସାୟୀ ମଧ୍ୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସୂଚନା ଅନୁସାରେ, ବଜାରରେ ହଠାତ୍ ଚିନି କିଲୋପ୍ରତି ୪୦ରୁ ୪୨ ଟଙ୍କାରୁ ବୃଦ୍ଧି ପାଇ ୫୨ରୁ ୫୩ ଟଙ୍କାରେ ପହଞ୍ଚିଛି। ଅର୍ଥାତ ୫ରୁ ୮ଟଙ୍କା ବଢ଼ିଛି। ଏମିତିକି କିଛି ସ୍ଥାନରେ ଏହା ୫୫ ଟଙ୍କା ଛୁଇଁବାକୁ ବସିଲାଣି । ତେବେ ଏହାକୁ ନେଇ ବ୍ୟବସାୟୀଙ୍କ କହିବା କଥା ପାଇକାରୀ ବଜାରରୁ ହିଁ ଦର ବଢ଼ିଛି। ଦର ବଢ଼ିବା ଯୋଗୁ ଗ୍ରାହକମାନେ କମ୍ ପରିମାଣର ଜିନିଷ ନେଉଛନ୍ତି, ଯାହାଦ୍ୱାରା ଆମ ବ୍ୟବସାୟ ବି ପ୍ରଭାବିତ ହେଉଛି । ଆଉ ଗ୍ରାହକଙ୍କ ମନରେ ଦର ବଢ଼ିବାକୁ ନେଇ ନାହିଁ ନଥିବା ଅସନ୍ତୋଷ । କେଜି ପିଛା ୮ ରୁ ୧୦ ଟଙ୍କା ବଢ଼ିଲେ କେମିତି ଚଳିବୁ ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ ।

ତେବେ ଗୋଟିଏ ପଟେ ପନିପରିବା ଦର ନିୟନ୍ତ୍ରଣ ବାହାରେ ଥିବା ବେଳେ, ଅନ୍ୟପଟେ ଚିନି ଦର ବୃଦ୍ଧି ସାଧାରଣ ଲୋକଙ୍କ କାନ୍ଧରେ ଅତିରିକ୍ତ ବୋଝ ଲଦିଦେଇଛି । ଯଦି ଶୀଘ୍ର ଚିନି କଳ ଓ ପାଇକାରୀ ବଜାରରେ କଳାବଜାରୀ ଉପରେ ରୋକ୍ ନଲଗାଯାଏ, ତେବେ ଆଗାମୀ ଦିନରେ ଦର ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

Also Read: ମହାନଦୀ ଜଳ ବିବାଦ ମାମଲା : ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ବ୍ୟବସାୟୀ ସଂଘ ସଭାପତିଙ୍କ କହିବା କଥା ଚିନି ଦର ବଢ଼ିବାର ଦୁଇଟି ମୁଖ୍ୟ କାରଣ ହେଉଛି ଇଥାନଲ ମିଶ୍ରିତ ପେଟ୍ରୋଲ, ଯେଉଁଥିରେ ପରିବହନ ବାଧାପ୍ରାପ୍ତ ହୋଇଛି । ଯାହା ପାଇଁ ଦର ଦାମ୍ ବଢ଼ିଛି ଏବଂ ଅନ୍ୟପଟେ ଏ ବର୍ଷ ଏଲନିନୋ ଆକଳନ ଯାହା ଦ୍ୱାରା କମ ବର୍ଷା ହେବାର ସମ୍ଭାବନା ରହିଛି ଆଉ ଯେଉଁଥିପାଇଁ ଆଖୁ ଉତ୍ପାଦନ କମ ହୋଇପାରେ । ତେଣୁ ଚିନିର ଦର ବଢ଼ିବା ସ୍ୱାଭାବିକ।

ସେ ଆହୁରି କହିଛନ୍ତି ଓଡ଼ିଶା ମୁଖ୍ୟତଃ କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଚିନି ଆମଦାନୀ କରିଥାଏ ଏବଂ ଓଡ଼ିଶା ୯୯ ଭାଗ ବାହାର ରାଜ୍ୟ ଉପରେ ନିର୍ଭର କରେ ଚିନି ପାଇଁ । ଆମ ପାଖରେ ଆବଶ୍ୟକ ଅନୁଯାୟୀ ଚିନି ପହଞ୍ଚି ପାରୁନାହିଁ ବୋଲି ଏମିତି ସ୍ଥିତି ଦେଖା ଦେଉଛି ବୋଲି କହିଛନ୍ତି ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡା ।