ଆଠମଲ୍ଲିକ:  ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା।  ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ବର୍ଷା ପ୍ରଭାବରେ ଆଠମଲ୍ଲିକରେ ବନ୍ୟା । ପୂରା ଅଞ୍ଚଳ ଜଳମଗ୍ନ। ଆଠମଲ୍ଲିକ ବ୍ଲକର ମହାନଦୀ ଉପରୂଳିଆ ପାଞ୍ଚଟି ପଞ୍ଚୟତରେ ବନ୍ୟା ପାଣି ପଶିଯାଇଛି। ଚାଷ ଜମିରେ ତିନିଦିନ ଧରି ଏମିତି ବନ୍ୟା ପାଣି ଜମି ରହିଛି। ଫଳରେ ଧାନ ଫସଲ ନଷ୍ଟ ହେବା ସହିତ ବାଲିଚର ହେବ ବୋଲି ଲୋକେ କହିଛନ୍ତି। ଅନୁଗୁଳ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତଥା ଶକ୍ତି ପୀଠ ବିନିକେଇ ଠକୁରାଣୀଙ୍କ ମନ୍ଦୀର ବି ବନ୍ୟା ପାଣି ଘେରାରେ ରହିଛି। ତିନି ଦିନ ହେଲାଣି ମନ୍ଦିରକୁ କେହି ବି ଯାଇପାରୁ ନାହାନ୍ତି। ସେପଟେ ଆଗକୁ ବର୍ଷା ଥିବାରୁ ସରକାର ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇବା ପାଇଁ ଲୋକେ ଅନୁରୋଧ କରିଛନ୍ତି।

ଅନ୍ୟପଟେ ବିପଦ ସଙ୍କେତ ଛୁଇଁଲା ଜଳକା ନଦୀର ଜଳସ୍ତର। ନଦୀର ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ରହିଛି ୬.୫୦ ମିଟର। ନଦୀର ଜଳସ୍ତର ବଢୁଥିବାରୁ ଏବଂ ୩ ଦିନଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବସ୍ତା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚାଷଜମି ଜଳମଗ୍ନ ହୋଇ ରହିଛି। ଯାହା ଫଳରେ ଏବେ  ଧାନ ରୁଆ କାମ ଚାଲି ଥିବାରୁ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ୩ ଦିନ ଧରି ବସ୍ତା ସମେତ ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ଶୁଳିଆପଦା,ମୋରଡା,ଚିତ୍ରଡି ଅଞ୍ଚଳର ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ି ଲାଗିଛି। ଯଦି ବର୍ଷା ଲାଗିରହିବ ତାହାହେଲେ ବସ୍ତା ବ୍ଲକର ୧୦ ଟି ଏବଂ ସଦର ବ୍ଲକର ୩ ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। 

 Also Read- ପ୍ରବଳ ବର୍ଷା, ଫୁଲୁଛି ନଦୀ, ସ୍କୁଲ ଛୁଟି ଘୋଷଣା, ସତର୍କ ରହିବାକୁ ଅପିଲ