ଆଙ୍କର:ଆକାଶରୁ ଝରୁଛି ଅସରା ଅସରା ବର୍ଷା, ଆଉ ତଳେ ବଢ଼ୁଛି ବନ୍ୟା ଭୟ। ଭଦ୍ରକ ଜିଲ୍ଲାରେ ଗତ କିଛି ଦିନ ହେବ ଜାରି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଲଗାଣ ବର୍ଷାରେ ବେହାଲ ଭଦ୍ରକ ଜିଲ୍ଲା। କ୍ରମାଗତ ବର୍ଷା ଯୋଗୁଁ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି। ଏହାସହ ସତର୍କ ରହିବା ସହ ପାଣିପାଗ ସମ୍ପର୍କିତ ସରକାରୀ ପରାମର୍ଶ ପାଳନ କରିବାକୁ ନିବେଦନ କରାଯାଇଛି।

ବୈତରଣୀ ନଦୀର ସ୍ଥିତି (ଆଖୁଆପଦା ଆନିକଟ):

  • ବିପଦ ସଙ୍କେତ:୧୮.୩୩ ମିଟର
  • ସତର୍କ ସଙ୍କେତ:୧୭.୮୩ ମିଟର
  • ବର୍ତ୍ତମାନର ଜଳସ୍ତର (ସକାଳ ୬ଟା):୧୭.୨୦ ମିଟର

ଅନ୍ୟପଟେ ଜିଲ୍ଲାର ଦୁଇ ମୁଖ୍ୟ ନଦୀ ସାଳନ୍ଦୀ ଓ ବୈତରଣୀରେ କ୍ରମାଗତ ଭାବେ ଜଳସ୍ତର ବୃଦ୍ଧି ପାଉଛି। ସାଳନ୍ଦୀ ନଦୀରେ ସୋମବାର ତିହିଡ଼ି ନିକଟସ୍ଥ ଦେଉଳା ଠାରେ ଘାଇ ସୃଷ୍ଟି ହୋଇଥିବା ବେଳେ, ଏବେ ବି ଲଗାଣ ବର୍ଷା ସହରତଳି ଅଞ୍ଚଳ ପାଇଁ ବଡ଼ ବିପଦ ସାଜିଛି। ସେହିପରି ବୈତରଣୀ ନଦୀର ଆଖୁଆପଦା ଆନିକଟ ଠାରେ ସକାଳ ୬ଟା ସୁଦ୍ଧା ଜଳସ୍ତର ୧୭.୨୦ ମିଟରରେ ପ୍ରବାହିତ ହେଉଛି, ଯାହା ସତର୍କ ସଙ୍କେତ ୧୭.୮୩ ମିଟରର ନିକଟତର ହେବାରେ ଲାଗିଛି।

also read- ଛାଡି଼ବନି ବର୍ଷା, ଫୁଲୁଛି ସବୁ ନଦୀ ! ୨୪ ଘଣ୍ଟା ସତର୍କ ରହିବାକୁ ଏହି ଜିଲ୍ଲାକୁ ଆଲର୍ଟ

କେବଳ ଭଦ୍ରକ ନୁହେଁ, ଉପରମୁଣ୍ଡ ଅର୍ଥାତ୍ କେନ୍ଦୁଝର, ଆନନ୍ଦପୁର ଓ ମୟୂରଭଞ୍ଜ ଅଞ୍ଚଳରେ ହେଉଥିବା ବର୍ଷାର ପରିମାଣ ଉପରେ ଜିଲ୍ଲା ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି। ଲଗାଣ ବର୍ଷା ଯୋଗୁଁ ଏକର ଏକର ଚାଷଜମି ପାଣିରେ ବୁଡ଼ି ରହିଥିବାରୁ ଚାଷୀକୂଳର ମେରୁଦଣ୍ଡ ଭାଙ୍ଗିଯାଇଛି। ସେହିପରି ପ୍ରବଳ ବର୍ଷାକୁ ଦୃଷ୍ଟି ରଖି ବାଲେଶ୍ୱର, ସମ୍ବଲପୁର ଓ ମୟୁରଭଞ୍ଜରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ।