ନୂଆଦିଲ୍ଲୀ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲାକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟରେ ଜାରି ରହିଛି ଆଇନଗତ ଲଢ଼େଇ। ଏହି ମାମଲାର ଶୁଣାଣି ସମୟରେ ଅଦାଲତରେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ବିଭିନ୍ନ ପକ୍ଷଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ଏବଂ ଗରମାଗରମ ଆଲୋଚନା ଦେଖିବାକୁ ମିଳିଛି।

ସୁଶାନ୍ତ ନାଥଙ୍କୁ କାହିଁକି ବାଦ୍ ଦିଆଗଲା ?

ପ୍ରଥମେ ଆବେଦନକାରୀ ଜୟନ୍ତ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ନିଜର ପକ୍ଷ ରଖିଥିଲେ। ସେ ରାଜ୍ୟରେ ଡିଜିପି ଚୟନ ପ୍ରକ୍ରିୟାର ସ୍ୱଚ୍ଛତା ଓ ଟାଇମଲାଇନ ଉପରେ ଗୁରୁତର ପ୍ରଶ୍ନ ଉଠାଇଥିଲେ। ସମ୍ଭାବ୍ୟ ତାଲିକାରୁ ସୁଶାନ୍ତ ନାଥଙ୍କ ନାମକୁ ବାଦ୍ ଦିଆଯିବା ପ୍ରକ୍ରିୟାର ସାମ୍ବିଧାନିକ ବୈଧତା ଏବଂ ଦୁର୍ନୀତି ନିରୋଧୀ ଆଇନର ସେକ୍ସନ 17(A) ସମ୍ପର୍କରେ ସେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Also Read: ମନମୁଖୀ କାର୍ଯ୍ୟ ଅଭିଯୋଗକୁ ନିର୍ବାଚନ ଆୟୋଗଙ୍କ ଖଣ୍ଡନ, ଜ୍ଞାନେଶ କହିଲେ- ସମସ୍ତ ନିଷ୍ପତ୍ତି...

ସେହିପରି ଆଇନଜୀବୀ କରୁଣା ନନ୍ଦୀ, ସୁଶାନ୍ତ ନାଥଙ୍କ ତରଫରୁ ପ୍ରତିନିଧିତ୍ୱ କରି ସୁଶାନ୍ତଙ୍କ ନାମ ବାଦ୍ ପଡ଼ିବାର ଆଇନଗତ ସିଦ୍ଧାନ୍ତ ଏବଂ ସିବିଆଇକୁ ରାଜ୍ୟ ସରକାର ଦେଇଥିବା ଉତ୍ତରର ସତ୍ୟତା ଉପରେ ପ୍ରଶ୍ନ କରିଥିଲେ। ଅପରପକ୍ଷରେ, ଓଡ଼ିଶା ଡିଜିପି ନିଯୁକ୍ତିରେ ଐତିହାସିକ ‘ପ୍ରକାଶ ସିଂ’ ମାମଲାର ଗାଇଡଲାଇନକୁ ସମ୍ପୂର୍ଣ୍ଣ ଅବହେଳା କରାଯାଇଥିବା ନେଇ ଆମିକସ କ୍ୟୁରି କୋର୍ଟରେ ନିଜର ଦୃଢ଼ ଯୁକ୍ତି ରଖିଥିଲେ।

କିଛି ଅନିୟମିତତା ହୋଇନି

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଏବଂ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କୋର୍ଟରେ ପକ୍ଷ ରଖି ଡିଜିପି ନିଯୁକ୍ତିରେ କୌଣସି ପ୍ରକାର ଅନିୟମିତତା ହୋଇନଥିବା ସ୍ପଷ୍ଟ କରିଛନ୍ତି। ସମସ୍ତ ପକ୍ଷର ଆରୋପର ପୂର୍ଣ୍ଣାଙ୍ଗ ପ୍ରତିଜବାବ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ସଲିସିଟର ଜେନେରାଲ କୋର୍ଟରେ ସମୟ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ଜାରି ରହିବ ବୋଲି ସୁପ୍ରିମକୋର୍ଟ ସୂଚନା ଦେଇଛନ୍ତି।

Also Read: ଓଡ଼ିଶା ପାଇଁ ଡି.ପୁରନ୍ଦେଶ୍ୱରୀ, ବୈଜୟନ୍ତଙ୍କୁ ପଣ୍ଡାଙ୍କୁ ମହାରାଷ୍ଟ୍ର ଦାୟିତ୍ୱ, ୩୬ ପ୍ରଦେଶ ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟରେ ଓଡ଼ିଶା ଡିଜି ନିଯୁକ୍ତିକୁ ନେଇ ଶୁଣାଣି ଦିନକୁ ଦିନ ବଢି ଚାଲିଛି। ଫଳରେ ରାଜ୍ୟକୁ ପୂର୍ଣ୍ଣାଙ୍ଗ ପୋଲିସ ମହାନିର୍ଦ୍ଦେଶକ ମିଳିବାରେ ବିଳମ୍ବ ଘଟି ଚାଲିଛି। ଆଉ ସୁପ୍ରିମକୋର୍ଟରେ ଏହି ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଅଡ଼ୁଆ ବଢିବାରେ ଲାଗିଛି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅନ୍ତରୀଣ ଡିଜି ଭାବେ ଦାୟିତ୍ଵ ତୁଲାଉଛନ୍ତି।