ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ଏବେ ଅବପାତର ରୂପ ନେଇଛି । ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ସୋମବାର ସନ୍ଧ୍ୟାରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାହାର ନିକଟବର୍ତ୍ତୀ ଅଞ୍ଚଳରେ ଏହା ଅବପାତର ରୂପ ନେଇଛି । ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହି ସିଷ୍ଟମ୍ ଆହୁରି ଅଧିକ ଘନୀଭୂତ ହେବ। ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଏହା ‘ଗଭୀର ଅବପାତ’ ରେ ପରିଣତ ହେବାର ସମ୍ଭାବନା ରହିଛି ।

କେଉଁଠି ସ୍ଥଳ ଭାଗ ଛୁଇଁବ ? IMD ଜାରି କଲା ଟ୍ରାକ୍

ପାଣିପାଗ ବିଭାଗ ପକ୍ଷରୁ ଏହାର ଗତିପଥ ଜାରି କରାଯାଇଛି । ୨୩ ତାରିଖରେ ଏହା ଗଭୀର ଅବପାତର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ । ଓଡ଼ିଶା-ଆନ୍ଧ୍ର ଉପକୂଳ ଦେଇ ୨୩ ତାରିଖ ସନ୍ଧ୍ୟା କିମ୍ବା ରାତି ସମୟରେ ଏହା ସ୍ଥଳଭାଗ ଛୁଇଁପାରେ । ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଶ୍ରୀକାକୁଲମ-ପଲାସା ନିକଟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

କେତେ ରହିବ ପବନର ବେଗ ?

ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଉପକୂଳ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିବ । ଝଟକା ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଇଛି ।

ସେପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଗଲାଣି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଝଡ଼ବର୍ଷା ସହ ପାଣିପାଗ ଅସ୍ଥିର ରହିବା ନେଇ ପୁର୍ବାନୁମାନ କରାଯାଇଛି ।