ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦିଲ୍ଲୀରୁ ବିଦାୟ ନେଇଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ବୁଧବାର ଏହି ସୂଚନା ଦେଇଛନ୍ତି। ୨୦୦୨ ମସିହା ପରେ ଦିଲ୍ଲୀରୁ ମୌସୁମୀର ଏହା ଦ୍ୱିତୀୟ ସଅଳ ପ୍ରତ୍ୟାବର୍ତ୍ତନ। ସେ ବର୍ଷ ମୌସୁମୀ ସେପ୍ଚେମ୍ବର ୨୦ ତାରିଖରେ ଦିଲ୍ଲୀ ଛାଡିଥିଲା। ଆଇଏମଡି ଅନୁସାରେ ମୌସୁମୀ ପଞ୍ଜାବ, ହରିୟାଣା ଓ ରାଜସ୍ଥାନର ଅଧିକାଂଶ ଅଞ୍ଚଳ ସହିତ ଉତ୍ତରପ୍ରଦେଶ ଓ ଗୁଜରାଟର କିଛି ଅଞ୍ଚଳରୁ ମଧ୍ୟ ଫେରିସାରିଲାଣି। ଏବେ ମୌସୁମୀର ପ୍ରତ୍ୟାବର୍ତ୍ତନ ରେଖା ଗୁରୁଦାସପୁର, ଚଣ୍ଡିଗଡ଼, ମୁଜାଫରନଗର, ଅଲିଗଡ଼, ଧୌଲପୁର, ଉଦୟପୁର,ଡିସା ଓ ନାଲିଆ ହୋଇ ଗତି କରୁଛି।

ମୌସୁମୀ ଫେରିଯିବା ପରେ ଏବେ ଦିଲ୍ଲୀ ଓ ଉତ୍ତର-ପଶ୍ଚିମ ଭାରତର ଅନ୍ୟ ଅଞ୍ଚଳରେ ଧିରେ ଧିରେ ଶୁଷ୍କ ହେବାରେ ଲାଗିବ, କାରଣ ମୌସୁମୀ ଏବେ ଅଧିକରୁ ଅଧିକ ଅଞ୍ଚଳରୁ ଅପସରିଯିବ। ତେବେ ମୌସୁମୀ ଫେରିବାର ଏହା ଅର୍ଥ ନୁହେଁ ଯେ ତୁରନ୍ତ ବର୍ଷା ବନ୍ଦ ହୋଇଯିବ। ଆଇଏମଡି ମୌସୁମୀ ସ୍ଥିତିକୁ ଦେଖି ଏହାର ପ୍ରତ୍ୟାବର୍ତ୍ତନ ଘୋଷଣା କରନ୍ତି। ଏଥିରେ ବର୍ଷା ଦୀର୍ଘ ଦିନ ପର୍ଯ୍ୟନ୍ତ ଛାଡିଯିବା, ଆର୍ଦତା ହ୍ରାସ ହେବା ସହ ବାୟୁମଣ୍ଡଳ ତଳ ସ୍ତରରେ ଆଣ୍ଟି ସାଇକ୍ଲୋନ ବିକଶିତ ହେବା ଆଦି ଲକ୍ଷଣରୁ ପାଣିପାଗ ବିଭାଗ ମୌସୁମୀର ପ୍ରତ୍ୟାବର୍ତ୍ତନ ଘୋଷଣା କରନ୍ତି।

ସାଧାରଣତଃ ସେପ୍ଟେମ୍ବରରେ ମୌସୁମୀ ଉତ୍ତର-ପଶ୍ଚିମ ଭାରତ ଛାଡିବା ଆରମ୍ଭ କରେ। ଏହା ଧିରେ ଧିରେ ଦକ୍ଷିଣ ଓ ପୂର୍ବ ଆଡକୁ ବଢେ। ଆଇଏମଡିଙ୍କ ସଂଶୋଧିତ ସାଧାରଣ ତିଥି ଅନୁସାରେ ଉତ୍ତର-ପଶ୍ଚିମ ଭାରତରୁ ସେପ୍ଚେମ୍ବର ୧୭ ଆଖପାଖରେ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୁଏ। ମୌସୁମୀ ଅକ୍ଟୋବର ୧୫ ତାରିଖ ସୁଦ୍ଧା ଦେଶର ଅଧିକାଂଶ ଅଞ୍ଚଳରୁ ଫେରିସାରିଥାଏ। ତେବେ ଦକ୍ଷିଣ ଭାରତୀୟ ଅଞ୍ଚଳରେ ଏଥି ପ୍ରକ୍ରିୟା ପାଇଁ ଅଧିକ ସମୟ ଲାଗେ। ଚଳିତବର୍ଷ ମୌସୁମୀରେ ବର୍ଷା କୋଟା ମାସକ ପୂର୍ବରୁ ପୁରା ହୋଇସାରିଥିଲା। ବାସ୍ତବରେ ୪ ମାସରେ ବର୍ଷର ବର୍ଷା କୋଟା ସରପ୍ଲସ ହୋଇଯାଇଥିଲା। ଏଣୁ ମୌସୁମୀ ଫେରିଯିବା ଯୋଗୁ ଦିଲ୍ଲୀର ପାଗ ଶୁଷ୍କ ଓ ସଫା ରହିବ ବୋଲି ଅନୁମାନ କରାଯାଉଛି।