ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ଆଭ୍ୟନ୍ତରୀଣ ନିଷ୍ପତ୍ତିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଶେଷରେ ପ୍ରତିକ୍ରିୟା ରଖିଛି ନିର୍ବାଚନ ଆୟୋଗ (ECI) । କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ମତାନ୍ତର ରହିଛି ଏବଂ ମନମୁଖୀ ଭାବେ ନିଷ୍ପତ୍ତି ନିଆଯାଉଛି । ତେବେ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ନିର୍ବାଚନ ଆୟୋଗ । ଭୋଟର ତାଲିକା ସଂଶୋଧନ ଓ ନିରୀକ୍ଷଣ ପ୍ରକ୍ରିୟା (SIR) ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଛି ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି ।

ଗଣମାଧ୍ୟମ ରିପୋର୍ଟକୁ ନେଇ ବଢ଼ିଲା ରାଜନୀତି

ଇଂରାଜୀ ଦୈନିକ ଇଣ୍ଡିଆନ ଏକ୍ସପ୍ରେସ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୧୦ ମାସ ମଧ୍ୟରେ ନିର୍ବାଚନ ଆୟୋଗର ଦୁଇ ଜଣ କମିଶନରସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀ ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ କେତେକ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନଙ୍କ ଅଜାଣତରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଦେଶ ପାରିତ ହୋଇଥିବା ନେଇ ପାଖାପାଖି ୧୪ ଥର ଆପତ୍ତି ଉଠାଯାଇଥିବା ଖବର ପ୍ରକାଶ ପାଇଥିଲା । 

Also Read: ଅଧା ଦେଶ ଶୁଖିଲା : ବର୍ଷା ଋତୁରେ ୧୫% କମ୍ ବର୍ଷିଛି, ଆନ୍ଧ୍ର-ପଞ୍ଜାବ-ବିହାର ସବୁଠି ଫାଟିଲାଣି ମାଟି

ବିରୋଧରେ ମହାଭିଯୋଗ ଦାବି

ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଛନ୍ତି। ତୃଣମୂଳ କଂଗ୍ରେସର ସାଂସଦ ଡେରେକ୍ ଓ'ବ୍ରାଏନ୍ ଦାବି କରିଛନ୍ତି ଯେ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ପାଇଁ ରାଜ୍ୟସଭାର ୬୦ରୁ ଉର୍ଦ୍ଧ୍ଵ ସାଂସଦ ନୋଟିସ ଦେଇସାରିଛନ୍ତି। ଗଣତନ୍ତ୍ରର ସୁରକ୍ଷା ପାଇଁ CECଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ଜରୁରୀ।

ସ୍ୱାଧୀନ ରାଜ୍ୟସଭା ସାଂସଦ କପିଲ ସିବଲ ଅଭିଯୋଗ କରିଛନ୍ତି ଯେ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଆୟୋଗର ଅନ୍ୟ ସଦସ୍ୟମାନଙ୍କର ସଂଖ୍ୟାଗରିଷ୍ଠ ସମର୍ଥନ ମିଳୁନାହିଁ ଏବଂ ସେ ସ୍ୱେଚ୍ଛାଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ଶିବସେନା (UBT)ର ସାଂସଦ ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅଧୀନରେ କାମ କରୁଛି। ସେ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିଲମ୍ବନ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Also Read: ମାଲିକ ଦେଲା ଅପମାନ, ୧୦ ହଜାର ଦରମା ପାଇଁ ଝଗଡ଼ା; ପ୍ରତିଶୋଧ ପାଇଁ ୨୪ କୋଟିର ସାମଗ୍ରୀ ଜାଳିଦେଲା

ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ

ଏହି ସମସ୍ତ ଅଭିଯୋଗ ଓ କଳ୍ପନାଜଳ୍ପନାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି ନିର୍ବାଚନ ଆୟୋଗ। ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ, ନିର୍ବାଚନ କମିଶନରମାନଙ୍କ ମଧ୍ୟରେ କୌଣସି ବିରୋଧାଭାସ ନାହିଁ। SIR ପ୍ରକ୍ରିୟା ସମେତ ଅନ୍ୟ ସମସ୍ତ ନୀତିଗତ ନିଷ୍ପତ୍ତି ସମ୍ପୂର୍ଣ୍ଣ ସହମତି ଓ ସର୍ବସମ୍ମତିକ୍ରମେ ନିଆଯାଇଛି।