ଭୁବନେଶ୍ବର ୨୨।୯: ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କି.ମି. ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି । ବର୍ତ୍ତମାନ ଏହା ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୨୦୦ କି.ମି. ଦକ୍ଷିଣ-ପୂର୍ବ, ପୁରୀଠାରୁ ୨୧୦ କି.ମି. ଦକ୍ଷିଣ-ଦକ୍ଷିଣପୂର୍ବ, ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଠାରୁ ୨୦୦ କି.ମି. ପୂର୍ବ-ଦକ୍ଷିଣପୂର୍ବ ଏବଂ ବିଶାଖାପାଟଣା ଠାରୁ ୨୯୦ କି.ମି. ପୂର୍ବରେ ରହିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଗଭୀର ଅବପାତରେ ପରିଣତ ହେବାର ଅତ୍ୟଧିକ ସମ୍ଭାବନା ରହିଛି ।

ପରବର୍ତ୍ତୀ ସମୟରେ ମଧ୍ୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖି ଏହା ୨୩ ସେପ୍ଟେମ୍ବର ରାତି ବା ୨୪ ସେପ୍ଟେମ୍ବର ଭୋର ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା । ୨୩ ଓ ୨୪ ତାରିଖ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବାକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ମଙ୍ଗଳବାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏସବୁ ଜିଲ୍ଲା ଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବର । ସେହିପରି ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ତେବେ ବୁଧବାର ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ବିଶେଷକରି କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ରହିପାରେ ।

Also Read:- ଅବପାତ ରୂପ ନେଲା ଲଘୁଚାପ: ୨୩ରେ ସ୍ଥଳଭାଗ ଛୁଇଁବ ‘ଗଭୀର ଅବପାତ’, IMD ଜାରି କଲା ଗତିପଥ

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ବଡ଼ ବର୍ଷାକୁ ନଜରରେ ରଖି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ସ୍ଥାନରେ ଫ୍ଲାସ୍ ଫ୍ଲଡ୍, ଭୂସ୍ଖଳନ ସମ୍ଭାବନା ଥିବାରୁ ବନ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।