ଭୁବନେଶ୍ୱର ୦୩।୧୧: କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ବିବାଦ ତେଜିଥିବା ବେଳେ ଏବେ ଏହାର ସୁରକ୍ଷା ପାଇଁ ଏକାଠି ହେବେ ସବୁ ଦଳର ନେତା। ନିର୍ବାଚନ ଦିନ କୋଟିଆରେ ଉପସ୍ଥିତ ରହି ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ବିରୋଧ କରିବେ ସ୍ଥାନୀୟ ଲୋକ, ରାଜନୈତିକ ଦଳ ଓ ସାମାଜିକ ସଂଗଠନ। ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି। କୋଟିଆରେ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସୀମାରେ ଚେକ୍ପୋଷ୍ଟ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ମନ୍ତ୍ରୀ କହିଛନ୍ତି, କୋଟିଆବାସୀ ଆନ୍ଧ୍ରର ଏହି ନିର୍ବାଚନକୁ ବିରୋଧ କରୁଛନ୍ତି। କୋରାପୁଟରେ ସବୁ ରାଜନୈତିକ ଦଳ ଗୋଟିଏ ମଞ୍ଚରେ ଏକାଠି ହୋଇ ଏହାର ପ୍ରତିବାଦ କରୁଛନ୍ତି। ନିର୍ବାଚନ ଦିନ ସ୍ଥାନୀୟ ଲୋକ, ରାଜନୈତିକ ଦଳ ଓ ସାମାଜିକ ସଂଗଠନର ସଦସ୍ୟମାନେ କୋଟିଆରେ ଉପସ୍ଥିତ ରହି ନିର୍ବାଚନୀ କାର୍ଯ୍ୟକଳାପକୁ ବିରୋଧ କରିବେ। ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସ୍ଥିତି ଉପରେ ନଜର ରଖିବେ।

ଆନ୍ଧ୍ରପ୍ରଦେଶରୁ ଆସିଥିବା ଚାଉଳ ବୋଝେଇ ଗାଡ଼ିକୁ ସ୍ଥାନୀୟ ଲୋକ ଫେରାଇ ଦେଇଥିବା ବେଳେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ନିଜ ରାଜ୍ୟକୁ ଫେରାଇ ଦିଆଯାଇଛି। ସୀମାନ୍ତରେ ଚେକ୍ପୋଷ୍ଟ କରାଯାଇ ପୋଲିସ ମୁତୟନ କରାଯାଇଛି। ବାତ୍ୟା ସମୟରେ ଓଡ଼ିଶା ସରକାରଙ୍କ ପ୍ରଶାସନ କୋଟିଆବାସୀଙ୍କ ସହ ରହିଥିବାରୁ ଏହାକୁ ସ୍ଥାନୀୟ ଲୋକ ଅନୁଭବ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Also Read:-କୋଟିଆରେ ପୁଣି ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ, ବ୍ୟାରିକେଡ୍ ଭାଙ୍ଗିଲା ଆନ୍ଧ୍ର ପୋଲିସ!

ଗତ ନିର୍ବାଚନ ସମୟରେ କୋଟିଆ ଭିତରେ ଆନ୍ଧ୍ର ପକ୍ଷରୁ ମତଦାନ କେନ୍ଦ୍ର କରାଯାଇଥିଲା। କିନ୍ତୁ ଚଳିତ ବର୍ଷ କୋଟିଆ ବାହାରେ, ଅର୍ଥାତ୍ ଆନ୍ଧ୍ରପ୍ରଦେଶ ସୀମା ଭିତରେ ମତଦାନ କେନ୍ଦ୍ର କରାଯାଇଛି। ଏଥିପାଇଁ ଓଡ଼ିଶା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ମନ୍ତ୍ରୀ।

କୋଟିଆ ବିବାଦର ଆଇନଗତ ଇତିହାସ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ୧୯୬୮ ମସିହାରେ ତତ୍କାଳୀନ ସରକାର ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଯାଇଥିଲେ। ୨୦୧୦ରେ ମାମଲାରେ ପରାଜୟ ପରେ ୨୦୨୧ରେ ପୂର୍ବ ସରକାର ନିର୍ଦ୍ଦେଶ ଅବମାନନା ଅଭିଯୋଗ ନେଇ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ରାଜ୍ୟର ବର୍ତ୍ତମାନ ସରକାର ଆଉ ଏକ ପିଟିସନ୍ ଦାଖଲ କରିଛନ୍ତି।

ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ହୋଇଥିବା ମନ୍ତ୍ରୀ କହିଛନ୍ତି। ଆନ୍ଧ୍ରର ଏଭଳି ଉଦ୍ୟମ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିଛି ବୋଲି ମତ ଦେବା ସହ ଆଇନଗତ ଲଢ଼େଇକୁ ଆଗକୁ ନେବା ପାଇଁ ସରକାର ଆଇନଜୀବୀଙ୍କ ପରାମର୍ଶ ନେଉଥିବା କହିଛନ୍ତି ସୁରେଶ ପୂଜାରୀ।