ଭୁବନେଶ୍ୱର ୧୯।୧୧ : ବାତ୍ୟାକୁ ନେଇ ରାଜ୍ୟରେ ବଢ଼ିଲା ଚିନ୍ତା। ଆସନ୍ତାକାଲି ଦିନ ୧୨ଟାରେ ଗୋପାଳପୁର ନିକଟରେ ବାତ୍ୟାର ସ୍ଥଳଭାଗ ଛୁଇଁବ । ଏନେଇ IMD ଆକଳନ କରିଛି। ତେବେ ବାତ୍ୟାର ପ୍ରକୋପ ଅଧିକ ରହିବା ଆଶଙ୍କା ଥିବାରୁ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ସହ ନିରାପଦ ସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବାକୁ କରିଛନ୍ତି ଅପିଲ। ବିଶେଷକରି ୨୦ ଓ ୨୧ ତାରିଖ ଦୁଇ ଦିନ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।

IMDର ସଦ୍ୟତମ ଆକଳନ ଅନୁସାରେ, ବାତ୍ୟା ବଙ୍ଗୋପସାଗରର ପଶ୍ଚିମ-ମଧ୍ୟ ଭାଗ ଦେଇ ଉତ୍ତର ଦିଗକୁ ଗତି କରୁଛି। ବର୍ତ୍ତମାନ ଏହା ଗୋପାଳପୁରଠାରୁ ପ୍ରାୟ ୪୯୦ କିଲୋମିଟର ଏବଂ ପୁରୀଠାରୁ ୫୦୦ କିଲୋମିଟର ଦୂରରେ ରହିଛି। ଆସନ୍ତାକାଲି ଦିନ ୧୨ଟା ସମୟରେ ଗୋପାଳପୁର ନିକଟରେ ସ୍ଥଳଭାଗ ସ୍ପର୍ଶ କରିବାର ଆକଳନ କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିପାରେ।

ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହ ୨୦ ଓ ୨୧ ତାରିଖ ପାଇଁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ମଧ୍ୟ ରେଡ୍ ଆଲର୍ଟ ଜାରି ହୋଇଛି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ବର୍ଷା ହେବାର ଆକଳନ ରହିଛି। ବାତ୍ୟା ଓ ବନ୍ୟା ଆଶଙ୍କା ଥିବା ୨୫୦ଟି ବ୍ଲକକୁ ଚିହ୍ନଟ କରାଯାଇଛି। ୨୦ଟି ବ୍ଲକର ୬,୧୦୯ଟି ସମ୍ଭାବ୍ୟ ପ୍ରଭାବିତ ସ୍ଥାନ ଉପରେ ନଜର ରଖାଯାଇଛି। ଆରମ୍ଭ ହୋଇଛି ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା। ଏଥିପାଇଁ ୧,୨୨୪ଟି ଆଶ୍ରୟସ୍ଥଳୀକୁ କାର୍ଯ୍ୟକ୍ଷମ କରାଯାଇଛି। ୩,୫୨୬ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Also Read:-Cyclone Preparedness Odisha: ଗଛ କାଟିବାଠୁ ଉଦ୍ଧାର ପର୍ଯ୍ୟନ୍ତ, ସବୁଥି ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ

ବିପର୍ଯ୍ୟୟ ମୁକାବିଲା ପାଇଁ ୬୦ଟି ଓଡ୍ରାଫ୍ ଟିମ୍, ୧୪ଟି NDRF ଟିମ୍ ଏବଂ ୨୨୧ଟି ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି। ୧୪ଟି ଜିଲ୍ଲାକୁ ଆଗୁଆ ଗୋଟିଏ କୋଟି ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି। ଯୋଗାଯୋଗ ବିଚ୍ଛିନ୍ନ ହେଲେ ବିକଳ୍ପ ବ୍ୟବସ୍ଥା ପାଇଁ ୧୭ଟି ସାଟେଲାଇଟ୍ ଫୋନ୍ ଯୋଗାଇ ଦିଆଯାଇଛି। ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳ ଉପରେ ମଧ୍ୟ ପ୍ରଶାସନର ତୀକ୍ଷ୍ଣ ନଜର ରହିଛି। ରାୟଗଡ଼ାର ୧୬୯, ଗଜପତିର ୨୧୧ ଏବଂ ମାଲକାନଗିରିର ୭୮ଟି ସ୍ଥାନ ସମେତ ବିଭିନ୍ନ ଜିଲ୍ଲାର ମୋଟ ୯୪୧ଟି ସ୍ଥାନକୁ ଚିହ୍ନଟ କରାଯାଇଛି।

ସେପଟେ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖାଯାଇଛି। ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳମାନେ ପରିସ୍ଥିତି ଅନୁସାରେ ପରବର୍ତ୍ତୀ ନିଷ୍ପତ୍ତି ନେଇପାରିବେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବନ୍ଦ କରାଯିବା ସହ ରେଳବାଇ ପକ୍ଷରୁ ଆବଶ୍ୟକସ୍ଥଳେ ଟ୍ରେନ୍ ରୁଟ୍ ପରିବର୍ତ୍ତନ କରାଯିବ। ବିଭିନ୍ନ ଜିଲ୍ଲାରେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିବା ସହ ୨୧ ତାରିଖ ପର୍ଯ୍ୟନ୍ତ ବରିଷ୍ଠ ଅଧିକାରୀମାନେ ନିୟୋଜିତ ରହିବେ।