ଭୁବନେଶ୍ଵର: ଆସୁଛି ବାତ୍ୟା। ତେବେ ଏହାର ସ୍ଥିତି ୨୫ ପରେ ହେବ ସ୍ପଷ୍ଟ । ବର୍ତ୍ତମାନ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଓ ସଲଂଗ୍ନ ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଏହା ଅଧିକ ଘନୀଭୂତ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ଏମିତିକି ଏହା ଭୟାବହ ବାତ୍ୟାର ରୂପ ମଧ୍ୟ ନେଇପାରେ । ଏଥିପାଇଁ ପାଗ ଅନୁକୂଳ ଥିବା ମଧ୍ୟ ବିଶେଷଜ୍ଞଙ୍କ ମତ ରହିଛି। ଏହା ପ୍ରଭାବରେ ରାଜ୍ୟରେ ୨୬ ରୁ ହେବ ପ୍ରବଳ ବର୍ଷା ।

ଅକ୍ଟୋବରରେ ୨୮ ରୁ ୨୯ବେଳକୁ ବାତ୍ୟା ସ୍ଥଳଭାଗକୁ ଛୁଇଁ ପାରେ । କିନ୍ତୁ ଏ ସବୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଆହୁରି ୪୮ ରୁ ୭୨ ଘଣ୍ଟା ବା ୨୫ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ। ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ ଏହା ପ୍ରଥମେ ଲଘୁଚାପର ରୂପ ନେବ । ଏହା ପରେ ଅଧିକ ଘନୀଭୂତ ହୋଇ ୨୪ ବେଳକୁ ସଦୃଶ୍ୟ ଲଘୁଚାପ ଓ ୨୫ ବେଳକୁ ଅବପାତରେ ପରିଣତ ହେବାକୁ ନେଇ ପୂର୍ବାନୁମାନ ହୋଇଛି । ତେଣୁ ଅବପାତ ରୂପ ନେବା ପରେ ବାତ୍ୟାକୁ ନେଇ ସଠିକ ଚିତ୍ର ସାମନାକୁ ଆସିବ ବୋଲି ସେ କହିଛନ୍ତି। ଏହା ବାତ୍ୟା ର ରୂପ ନେବା ପରେ ଅଧିକ ଶକ୍ତିଶାଳୀ ହେବାକୁ ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି ।

Also Read: ପୂର୍ବ ଶତ୍ରୁତାରୁ ବୋମାମାଡ଼ ଯୋଜନା : ବୋମା ଫିଙ୍ଗିବାକୁ ଆସିଥିଲେ ୧୫ରୁ ଅଧିକ ଦୁର୍ବୃତ୍ତ

ଅବପାତର ରୂପ ନେବା ପରେ ଏହାର ଗତିପଥ ମଧ୍ୟ ଜଣା ପଡିବ । ବର୍ତ୍ତମାନ ଲଘୁଚାପ ହେବା ପରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାକୁ ନେଇ ପୂର୍ବାନୁମାନ ହୋଇଛି । ଆନ୍ଧ୍ର ଓ ଓଡିଶା ଉପକୂଳ ମଧ୍ୟରେ ଅତିକ୍ରମକୁ ନେଇ ମଧ୍ୟ କିଛି ମଡେଲ ପୂର୍ବାନୁମାନ କରିଛି। ବାତ୍ୟା କେତେ ଶକ୍ତିଶାଳୀ ହେବ ତାହା ୨୫ ରେ ସ୍ପଷ୍ଟ ହେଉଥିବା ବେଳେ ଏହା ପ୍ରଭାବ ଓଡିଶା ଉପରେ ରହିବ । ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାକୁ ନେଇ ମଧ୍ୟ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ପବନ ମଧ୍ୟ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଙ୍କ ମତ ରହିଛି।

ଅକ୍ଟୋବାର ମାସ ରେ ସୃଷ୍ଟି ହୋଇଥିବା ବାତ୍ୟା ଶକ୍ତିଶାଳୀ ରହିଥାଏ । ମୌସୁମୀ ବାୟୁ ପ୍ରତ୍ୟାବର୍ତନ କରିଥିବାରୁ ଏହା ବାତ୍ୟା ସୃଷ୍ଟି ପାଇଁ ସହାୟକ ହୋଇଥାଏ । ପୂର୍ବରୁ ଅକ୍ଟୋବର ମାସରେ ହୋଇଥିବା ବାତ୍ୟା ଯେପରିକି ମହାବାତ୍ୟା, ଫାଇଲିନ ହୁଦହୁଦ ଏହା ର ଏକ ଉଦାହରଣ। ତେଣୁ ଏହି ସିଷ୍ଟମ କେତେ ଭୟଙ୍କର ହେବ ଏହା ୨୫ ତାରିଖରେ ସ୍ପଷ୍ଟ ହେବ ।