ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୁରୁବାର ଇନଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟ କରିଛନ୍ତି । ନିଜର ପ୍ରଥମ ଇନଷ୍ଟାଗ୍ରାମ ପୋଷ୍ଟରେ ସେ ତାଙ୍କର ବହୁପ୍ରତୀକ୍ଷିତ ଆତ୍ମଜୀବନୀ 'ବିଲଙ୍ଗିଙ୍ଗ୍: ଏ ଜର୍ଣ୍ଣି ଅଫ୍ ଲଭ୍'ର ଫଟୋ ସେୟାର କରିଛନ୍ତି। ସେ ପୁସ୍ତକଟିକୁ ‘ପ୍ରେମ, କର୍ତ୍ତବ୍ୟ, ହରାଇବାର ଦୁଃଖ ଏବଂ ନିଜର ସ୍ଥାନ ଖୋଜିବାର ଏକ ନିବିଡ଼ କାହାଣୀ’ ଭାବରେ ବର୍ଣ୍ଣନା କରିଛନ୍ତି । ଏହି ବହିଟି ନଭେମ୍ବର ୧୦ ତାରିଖରେ ରିଲିଜ୍‌ ହେବାକୁ ଯାଉଛି ।

ଗତ ମାସରେ ହାର୍ପରକୋଲିନ୍ସ ଇଣ୍ଡିଆ ସ୍ପଷ୍ଟ କରିଥିଲା ଯେ,  ଭାରତରେ ନଭେମ୍ବର ୧୦ ରେ ସୋନିଆ ଗାନ୍ଧୀଙ୍କ ଏହି ଆତ୍ମଜୀବନୀ ପ୍ରକାଶ କରିବ।  ହାର୍ପରକୋଲିନ୍ସ କହିଥିଲା ଯେ, ‘ସବୁଠାରୁ ପ୍ରତୀକ୍ଷିତ ରାଜନୈତିକ ଆତ୍ମଜୀବନୀଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ଏହା ପ୍ରେମ, ଆତ୍ମପରିଚୟ, କର୍ତ୍ତବ୍ୟ ଓ ଆପଣାପଣର ଏକ ବ୍ୟକ୍ତିଗତ କାହାଣୀ । ଭାରତର ଗୁରୁତ୍ୱପୂର୍ଣ୍ଣ ଯାତ୍ରାକୁ ଅତି ନିକଟରୁ ଦେଖିବାର ଏକ ବିରଳ ସୁଯୋଗ ।’ ଏହି ପୁସ୍ତକକୁ ନେଇ ଗତ ମାସରେ  ବିବାଦ ଦେଖାଦେଇଥିଲା । 'ପେଙ୍ଗୁଇନ୍ ରାଣ୍ଡମ ହାଉସ୍ ଇଣ୍ଡିଆ' ହଠାତ୍ ଏହି ବହି ପ୍ରକାଶନ ଦାୟିତ୍ବରୁ ଓହରିଯାଇଥିଲା। ସମ୍ପାଦନାଗତ ପରିବର୍ତ୍ତନକୁ ନେଇ ମତାନ୍ତର ସୃଷ୍ଟି ହୋଇଥିବା ଖବର ସାମ୍ନାକୁ ଆସିଥିଲା। 

ପିଟିଆଇ କୁ ଦେଇଥିବା ବିବୃତିରେ ପେଙ୍ଗୁଇନ୍ ସ୍ପଷ୍ଟ କରିଥିଲା ଯେ, ସେମାନେ ଏହି ବହିଟିକୁ ପ୍ରକାଶ କରିବା ପାଇଁ ଅତ୍ୟନ୍ତ ଆଗ୍ରହୀ ଥିଲେ। କିନ୍ତୁ ଏକ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ସୃଷ୍ଟି ହୋଇଥିବା ଅସମାହିତ ସ୍ଥିତି ଯୋଗୁଁ ଶେଷରେ ସେମାନେ ଓହରି ଯାଇଥିଲେ । ତେବେ ପେଙ୍ଗୁଇନ୍ ବିବାଦର ସ୍ପଷ୍ଟ ଖୁଲାସା କରିବାକୁ ମନା କରିଦେଇଥିଲା ।

 
 
 
 
 
 
 
 
 
 
 
 
 
 
 

A post shared by Sonia Gandhi (@soniagandhi)

ଶେଷରେ ସୋନିଆ ଗାନ୍ଧୀଙ୍କ ଏହି ଆତ୍ମଜୀବନୀ ରିଲିଜ୍‌ ହେବାକୁ ଯାଉଛି । ଏହାକୁ ନେଇ ଖୋଦ ସୋନିଆ ଗାନ୍ଧୀ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ଏବଂ ପ୍ରଥମ ଥର ଲାଗି ଇନଷ୍ଟାକୁ ଆସି ପୋଷ୍ଟ କରିଛନ୍ତି । କଂଗ୍ରେସ ନେତ୍ରୀ ସୋନିଆଙ୍କୁ ନେଇ ଅନେକ ବାଦ ବିବାଦ ଦେଖାଯାଇଛି । ତେବେ ତାଙ୍କର ଏହି ଆତ୍ମଜୀବନୀରେ ସେ ଏନେଇ କଣ ସବୁ ବର୍ଣ୍ଣନା କରିଛନ୍ତି, ସେସବୁ ପଢ଼ିପାରିବେ ଏବଂ ଜାଣିପାରିବେ ଭାରତୀୟଙ୍କ ସମେତ ବିଶ୍ବାବାସୀ ।