ମୁମ୍ବାଇ: ବିବାହ ଲାଗି ଧର୍ମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ବମ୍ବେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କେବଳ ବିବାହ ଉଦ୍ଦେଶ୍ୟରେ ଧର୍ମ ପରିବର୍ତ୍ତନକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି । ତେବେ କୋର୍ଟ, ନାଗରିକଙ୍କ ସ୍ବେଚ୍ଛାକୃତ ଧର୍ମ ପରିବର୍ତ୍ତନ ସ୍ବାଧୀନତାକୁ ସ୍ବୀକାର କରିଛନ୍ତି ।  ମହାରାଷ୍ଟ୍ର ସରକାରଙ୍କ ନୂଆ ଧର୍ମାନ୍ତରୀକରଣ ବିରୋଧୀ ଆଇନର ସାମ୍ବିଧାନିକ ବୈଧତାକୁ ନେଇ ଦାୟର ଆବେଦନର ଶୁଣାଣି କରି କୋର୍ଟ ‘ଧର୍ମ ପରିବର୍ତ୍ତନ’ ଉପରେ କହିଛନ୍ତି ।

ମହାରାଷ୍ଟ୍ରର ଏହି ନୂଆ ଆଇନ୍‌ ଅନୁଯାୟୀ, ବଳପୂର୍ବକ, ପ୍ରଲୋଭନ, ପ୍ରତାରଣା କିମ୍ବା କେବଳ ବିବାହ ଉଦ୍ଦେଶ୍ୟରେ କରାଯାଉଥିବା ଧର୍ମାନ୍ତରୀକରଣକୁ ଅପରାଧ ଭାବରେ ଗ୍ରହଣ କରାଯାଇଛି।  ଏହି ଆଇନର ଧାରା ୬ ଅନୁଯାୟୀ, ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ  ୬୦ ଦିନ ପୂର୍ବରୁ ପ୍ରଶାସନକୁ ନୋଟିସ ଦେବା ବାଧ୍ୟତାମୂଳକ ।   ଠାଣେର ଜଣେ ୭୦ ବର୍ଷୀୟ ଇସଲାମିକ ପ୍ରଚାରକ ଏହି ଆଇନ ବିରୋଧରେ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ। ସମ୍ବିଧାନର ଧାରା ୨୫ ଅନୁଯାୟୀ ମିଳିଥିବା ଧର୍ମ ପ୍ରଚାରର ସ୍ୱାଧୀନତାକୁ ଏହି ଆଇନ ସଙ୍କୁଚିତ କରୁଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। 

ମୁଖ୍ୟ ବିଚାରପତି ମାହେଶ ସି. ତ୍ରିପାଠୀ ଏବଂ ବିଚାରପତି ଅଦ୍ୱୈତ ସେଠନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସମାଜର ଧର୍ମନିରପେକ୍ଷତା ରକ୍ଷା କରିବା ଏବଂ ବଳପୂର୍ବକ ଧର୍ମାନ୍ତରୀକରଣକୁ ରୋକିବା ଏହି ଆଇନର ମୂଳ ଉଦ୍ଦେଶ୍ୟ। ସରକାର କେବଳ ବଳପୂର୍ବକ କିମ୍ବା ଚାପ ପକାଇ କରାଯାଉଥିବା ଧର୍ମାନ୍ତରୀକରଣକୁ ନେଇ ଚିନ୍ତିତ। ପ୍ରତ୍ୟେକ ବ୍ୟକ୍ତିଙ୍କର ଧର୍ମ ପରିବର୍ତ୍ତନ କରିବାର ସ୍ୱାଧୀନତା ରହିଛି । କିନ୍ତୁ କେବଳ ବିବାହ କରିବା ଉଦ୍ଦେଶ୍ୟରେ ଧର୍ମ ପରିବର୍ତ୍ତନକୁ ଅନୁମତି ଦିଆଯାଇପାରିବ ନାହିଁ। ସେପଟେ ଆବେଦନକାରୀଙ୍କ ଆବେଦନ ପ୍ରମାଣ ଉପରେ ଆଧାରିତ ନୁହେଁ ବୋଲି କୋର୍ଟ କହିଛନ୍ତି । ପରେ ନିଜର ଆବେଦନ ପ୍ରତ୍ୟାହାର କରିନେଇଛନ୍ତି ଆବେଦନକାରୀ ।