ନୂଆଦିଲ୍ଲୀ: ଇରାନ ସହିତ ଆମେରିକା ଯୁଦ୍ଧକୁ ନେଇ ଖୁସି ନାହାନ୍ତି ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର । ‘ଦି ଆଟଲାଣ୍ଟିକ୍’ ର ଏକ ରିପୋର୍ଟ ଅନୁଯାୟୀ, ସେ ନିଜ ପିତାଙ୍କ ସହ ଆଲୋଚନା ସମୟରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧରେ ସାମିଲ ହେବାକୁ ନେଇ ନିଜର ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ ଜୁନିୟର ନିଜ ପିତାଙ୍କୁ ମଧ୍ୟପ୍ରାଚ୍ୟରେ ଅନ୍ୟ ଏକ ଯୁଦ୍ଧରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। 

ସେତେବେଳେ ଟ୍ରମ୍ପ ଜୁନିୟର 'ଏକ୍ସ' ରେ ଲେଖିଥିଲେ, ‘ମନେ ପକାନ୍ତୁ, ଯେତେବେଳେ ଲୋକମାନେ କହୁଥିଲେ ଯେ ଟ୍ରମ୍ପ ଆମକୁ ଇରାନ ସହ ସମ୍ପୂର୍ଣ୍ଣ ଯୁଦ୍ଧ ଭିତରକୁ ଠେଲିଦେବେ ? ଏପରି ସମୟରେ ଆମେ ସମସ୍ତେ ଅନୁଭବ କରିବା ଉଚିତ୍ ଯେ ଟ୍ରମ୍ପଙ୍କ ଭଳି ଶକ୍ତିଶାଳୀ ଏବଂ ଦୃଢ଼ ନେତାଙ୍କୁ ପାଇ ଆମେ କେତେ ଭାଗ୍ୟବାନ୍ ଥିଲୁ।’ ତେବେ ସେହି ଦାବି ବାସ୍ତବତା ସହ ମେଳ ଖାଇନଥିଲା। ପ୍ରାୟ ଅଢ଼େଇ ବର୍ଷ ପରେ ଟ୍ରମ୍ପ ଆମେରିକାକୁ ଇରାନ ସହିତ ଏକ ଅନିଶ୍ଚିତ ସାମରିକ ସଂଘର୍ଷ ଭିତରକୁ ଟାଣି ଆଣିଛନ୍ତି। 

ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଜୁନିୟର ବାରମ୍ବାର ନିଜ ପିତାଙ୍କ ସହ ଏହି ଯୁଦ୍ଧ ନକରିବାକୁ ଆଲୋଚନା କରିଛନ୍ତି। ସେ ବୈଦେଶିକ ବ୍ୟାପାରରେ ହସ୍ତକ୍ଷେପ ନକରିବା ନୀତିରେ ବିଶ୍ୱାସ କରନ୍ତି ।  ଆମେରିକା ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଜଡ଼ିତ ହେବା ଉଚିତ୍ ନୁହେଁ ବୋଲି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି। କଞ୍ଜରଭେଟିଭ୍ ଆକ୍ଟିଭିଷ୍ଟ ଚାର୍ଲି କିର୍କ ଏହି ଯୁଦ୍ଧର ବିରୋଧୀ ଥିଲେ। ଟ୍ରମ୍ପ ଜୁନିୟର କିର୍କଙ୍କ ନିକଟତର ଥିଲେ । ଯଦିଓ ଟ୍ରମ୍ପ ଜୁନିୟର ତାଙ୍କ ପିତା ଟ୍ରମ୍ପଙ୍କ ନିଷ୍ପତ୍ତି ବିରୋଧ​‌ରେ ଯିବେ ନାହିଁ, କିନ୍ତୁ ତାଙ୍କର ମତ କଣ ସମସ୍ତଙ୍କୁ ଜଣାଅଛି ।

ପ୍ୟୁ ରିସର୍ଚ୍ଚ ସେଣ୍ଟରର ସର୍ଭେ ଅନୁଯାୟୀ, ୬୫ ପ୍ରତିଶତ ଆମେରିକୀୟ ନାଗରିକ ଇରାନ ସଂଘର୍ଷ କୁ ନେଇ ଟ୍ରମ୍ପଙ୍କ ପଦକ୍ଷେପକୁ ନାପସନ୍ଦ କରିଛନ୍ତି । କେବଳ ୩୩ ପ୍ରତିଶତ ଏହାକୁ ସମର୍ଥନ କରିଛନ୍ତି। ସେପ୍ଟେମ୍ବର ୨୮ ରୁ ଅକ୍ଟୋବର ୪, ୨୦୨୬ ମଧ୍ୟରେ କରାଯାଇଥିବା ଏହି ସର୍ଭେରୁ ସ୍ପଷ୍ଟ ହୋଇଛି ଯେ, ଦୀର୍ଘଦିନ ଧରି ଚାଲିଥିବା ଏହି ସାମରିକ ଅଭିଯାନକୁ ନେଇ ସାଧାରଣ ଜନତା ଚିନ୍ତିତ ହୋଇପଡ଼ିଛନ୍ତି। ରିପବ୍ଲିକାନ୍ ଦଳ ଭିତରେ ମଧ୍ୟ ସମର୍ଥନ ମାର୍ଚ୍ଚ ମାସର ୬୯ ପ୍ରତିଶତରୁ କମି ୬୩ ପ୍ରତିଶତରେ ପହଞ୍ଚିଛି। ଇରାନ ସହ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ନିଷ୍ପତ୍ତି ପାଇଁ ଭିନ୍ନ ମତ ପ୍ରକାଶ ପାଉଛି । ଏଭଳି ସ୍ଥିତିରେ ଆଗକୁ ଇରାନ ଯୁଦ୍ଧକୁ ନେଇ ଆମେରିକାର ଆଭିମୁଖ୍ୟ କଣ ହେବ ତା ଉପରେ ସାରା ବିଶ୍ବର ନଜର ରହିବ ।