ନୂଆଦିଲ୍ଲୀ, ୨୨/୧୦:ସାଉଦି ଆରବରେ ହୁତିର ଭୟଙ୍କର ଆକ୍ରମଣ । ବୁଧବାର ବିଳମ୍ବିତ ରାତ୍ରରେ କିଙ୍ଗ୍ ଫହଦ୍ ବିମାନବନ୍ଦରରେ ଆକ୍ରମଣ ହୋଇଛି । ଏଥିରେ ସାଉଦିର ଜଣେ ନାଗରିକ ପ୍ରାଣ ହରାଇଥିବା ବେଳେ୮ଜଣ ଆହତ ହୋଇଛନ୍ତି । ସାଉଦି ସିଭିଲ ଆଭିଏସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହାସହ ଅନେକ ବିମାନ ଚଳାଚଳ ମଧ୍ୟ ବାତିଲ ହୋଇଛି ।

କିଙ୍ଗ୍ ଫହାଦ ବିମାନବନ୍ଦର ଗଲଫ୍ ନିକଟବର୍ତ୍ତୀ ଦମ୍ମାମ ଅଞ୍ଚଳରେ ରହିଛି । ଏବା ବାହାରୀନ୍ ଏବଂ କତାରଠୁ ବେଶି ଦୂର ନୁହେଁ । ଏହାପୂର୍ବରୁ ସାଉଦିର ଆଉ କିଛି ବିମାନବନ୍ଦରରେ ମଧ୍ୟ ହୁତି ଆକ୍ରମଣ କରିଥିଲା । ତେବେ ଘଟଣାକୁ ନେଇ ଇରାନ ସମର୍ଥିତ ହୁତି କୌଣସି ପ୍ରତିକ୍ରିୟା ଦେଇ ନାହିଁ । ଅନ୍ୟ ଦିଗରେ କିଛି ଡ୍ରୋନକୁ ଇଣ୍ଟରସେପ୍ଟ୍ କରାଯାଇଥିବା ସାଉଦି ମେଣ୍ଟ ପ୍ରକାଶ କରିଛି ।

ବିମାନବନ୍ଦରରେ ଆକ୍ରମଣ ପୂର୍ବରୁ ଦକ୍ଷିଣ ପୂର୍ବରେ ଥିବା ଆରାମକୋ ତୈଳ ରିଫାଇନାରୀରେ ଡ୍ରୋନର କିଛି ଭଗ୍ନବଶେଷ ପଡିବାରୁ ଦୁଇ ଜଣ ପ୍ରାଣ ହରାଇଥିଲେ । ଏହାସହ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ । ମୃତକ ଦ୍ୱୟ ନେପାଳ ଏବଂ ଫିଲିପାଇନ୍ସର ନାଗରିକ ରହିଥିଲେ । ଆହତଙ୍କ ମଧ୍ୟରେ ଭାରତ ଏବଂ ପାକିସ୍ତାନ ନାଗରିକ ରହିଥିଲେ ।

Also Read :- ରାତି ନୁହେଁ, ଦିନ ବେଳେ ଘରେ ପଶିଲେ ଲୁଟେରା, ତାଲା କାଟି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ହୁତି ପକ୍ଷରୁ ଆରାମକୋକୁ ଟାର୍ଗେଟ୍ କରାଯାଇଥିଲା । ଆରାମକୋର ଆଡମିନଷ୍ଟ୍ରେଟିଭ୍ ବ୍ଲକରେ ମିସାଇଲ ମାଡ ହୋଇଥିଲା । ଏହାସହ କିଛି ବିମାନବନ୍ଦରକୁ ମଧ୍ୟ ଆତଙ୍କବାଦୀଙ୍କ ପକ୍ଷରୁ ଟାର୍ଗେଟ୍ କରାଯାଇଥିଲା । ଏହାପରେ ସାଉଦି ମଧ୍ୟ ଜବାବ ଦେଇଥିଲା । ଯେଉଁଥିରେ ଅନେକ ବିଦ୍ରୋହୀ ପ୍ରାଣ ହରାଇଥିଲେ ।