ନୂଆଦିଲ୍ଲୀ: ଆମେରିକା ଏବଂ ରୁଷ ମଧ୍ୟରେ ହୋଇଥିବା ଡିଜେଲ୍ ଡିଲ୍ ଜରିଆରେ ମସ୍କୋ ପ୍ରଥମେ ୪୦ ହଜାର ମେଟିକ୍ ଟନ୍ ଡିଜେଲ୍ ପଠାଇବାକୁ ପ୍ରସ୍ତୁତ ହେଉଛି । ପ୍ରଥମ ଟ୍ୟାଙ୍କର ଖୁବଶୀଘ୍ର ଆମେରିକାରେ ପହଞ୍ଚିପାରେ । ରୁଷର ଉପପ୍ରଧାନମନ୍ତ୍ରୀ ଆଲେକଜାଣ୍ଡର୍ ନୋଭାକ୍ ସୂଚନା ଦେଇଛନ୍ତି ଯେ, ଏହି ଡିଜେଲ୍ ପଠାଇବା ପାଇଁ ଆବଶ୍ୟକୀୟ କାଗଜପତ୍ର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଅନ୍ତର୍ଜାତୀୟ ବଜାରକୁ ଡିଜେଲ ଯୋଗାଣ ପୁନରୁଦ୍ଧାର ପାଇଁ ହୋଇଥିବା ଚୁକ୍ତି ପରେ ଏହି ନିଷ୍ପତ୍ତି ନିଆଯାଇଛି। ୱାଶିଂଟନ୍ ଏବଂ କିଭ୍ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ସମୟରେ ଏହି ଚୁକ୍ତି ସାମ୍ନାକୁ ଆସିଥିଲା। ଆଉ ଏବେ ରୁଷର ଡିଜେଲ୍ ଆମେରିକାରେ ପହଞ୍ଚିବ ।

ଉପପ୍ରଧାନମନ୍ତ୍ରୀ ନୋଭାକ୍ କହିଛନ୍ତି ଯେ, ଗୁରୁବାର ପଠାଯାଉଥିବା ଏହି ପ୍ରଥମ ସିପ୍ମେଣ୍ଟ ପରେ ଆଗାମୀ ଦିନରେ ଆହୁରି ଯୋଗାଣ କରାଯିବ। ତେବେ ଏହି ଟ୍ୟାଙ୍କରଟି କେଉଁ ବନ୍ଦରରୁ ବାହାରିବ, ସେ ସୂଚନା ଦେଇନାହାଁନ୍ତି। ନୋଭାକ୍ କହିଛନ୍ତି, ‘ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ସହମତି ଅନୁଯାୟୀ ଆଗାମୀ ଦିନରେ ଅଧିକ ଯୋଗାଣ କରାଯିବ। ଆମେ ଆମର ସାମର୍ଥ୍ୟ ଅନୁସାରେ ଆମେରିକାର ଆବଶ୍ୟକତା ପୂରଣ କରିବୁ।’

ଅନ୍ୟପଟେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ରୁଷ ପ୍ରାରମ୍ଭିକ ପର୍ଯ୍ୟାୟରେ ୩୦୦,୦୦୦ ମେଟ୍ରିକ୍ ଟନ୍ ଡିଜେଲ ରପ୍ତାନି କରିବ। ଏହା ସହିତ ନଭେମ୍ବର ମାସରେ ୫୦୦,୦୦୦ ଟନ୍ ଏବଂ ତା'ପରେ ତୁରନ୍ତ ଆଉ ୧ ନିୟୁତ ଟନ୍ ଡିଜେଲ ଯୋଗାଇବ । ୟୁକ୍ରେନର ଡ୍ରୋନ୍ ଆକ୍ରମଣ ଯୋଗୁଁ ରୁଷର ତୈଳ ବିଶୋଧନାଗାରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ଦେଶ ଭିତରେ ଡିଜେଲର ଅଭାବ ଦେଖାଦେଇଥିଲା। ଏହି ସମସ୍ୟାର ସମାଧାନ ପାଇଁ ମସ୍କୋ ନିଜ ଆଡ଼ୁ ଡିଜେଲ ରପ୍ତାନି ଉପରେ କଟକଣା ଲଗାଇଥିଲା। ତେବେ ଟ୍ରମ୍ପଙ୍କ ସହ ଚୁକ୍ତି ହେବା ପରେ ଅକ୍ଟୋବର ୯ରେ ଏହି କଟକଣା ହଟାଇ ଦିଆଯାଇଥିଲା।

ବୁଧବାର ଦିନ ସେଣ୍ଟ ପିଟର୍ସବର୍ଗଠାରେ ଆମେରିକାର ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ୍ ଙ୍କ ସହ ଆଲୋଚନା ସମୟରେ ପୁଟିନ୍ ଏହି ବ୍ୟବସ୍ଥା ବିଷୟରେ ଚର୍ଚ୍ଚା କରିଥିଲେ। ରପ୍ତାନି କଟକଣା ହଟାଇଥିବାରୁ ୱିଟକଫ୍ ରୁଷ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିପରି ପୁଟିନ୍ କହିଛନ୍ତି ଯେ, ଏହି ଚୁକ୍ତି ଯୋଗୁଁ ବିଶ୍ୱ ବଜାରରେ ଡିଜେଲ ମୂଲ୍ୟରେ ୫ ରୁ ୬ ପ୍ରତିଶତ ହ୍ରାସ ପାଇଛି। ଆମେରିକା ଏବଂ ରୁଷ ସଂପର୍କରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିବା ବେଳେ, ୟୁକ୍ରେନ ଯୁଦ୍ଧ ଆଗକୁ କେଉଁ ମୋଡ଼ ନେବ ତାଉପରେ ସମଗ୍ର ବିଶ୍ବର ନଜର ରହିବ ।