ନୂଆଦିଲ୍ଲୀ: ବିଶ୍ୱ ଆଉ ଏକ ଭାରସର ଆତଙ୍କ ଦେଖିବାକୁ ଯାଉଛି କି ? ଏ ପ୍ରଶ୍ନ ଏଥିପାଇଁ କାରଣ ଫ୍ରାନ୍ସରେ ପ୍ରଥମ ଥର ମଣିଷଠାରେ ସାମୋଣ୍ଡା ନାମକ ଭାଇରସ୍ ଚିହ୍ନଟ କରାଯାଇଛି । ଏହି ଭାଇରସ୍ ମୁଖ୍ୟତଃ ପଶୁଙ୍କ ଠାରେ ଦେଖାଯାଇଥାଏ । ମେଡିକାଲ୍ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ରୋଗୀ ଜଣକ ସାମୋଣ୍ଡା ଭୂତାଣୁରେ ସଂକ୍ରମିତ ହେବା ପରେ ତାଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅକ୍ଟୋବର ଆରମ୍ଭରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।

ଫ୍ରାନ୍ସ ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ସାଧାରଣ ଲୋକଙ୍କ ପାଇଁ ବର୍ତ୍ତମାନ କୌଣସି ପ୍ରକାର ସ୍ୱାସ୍ଥ୍ୟ ସଂକଟ ନାହିଁ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲିଛି । ସେପଟେ ଫ୍ରାନ୍ସର କୃଷି ମନ୍ତ୍ରଣାଳୟ ଏହାକୁ ଏକ ବ୍ୟକ୍ତିକ୍ରମ ମାମଲା ବୋଲି କହିଛି । ମୃତ ବ୍ୟକ୍ତି ଜଣକ ଗୁରୁତର ଇମ୍ୟୁନୋ କମ୍ପ୍ରୋସିସ୍ ରୋଗରେ ପୀଡ଼ିତ ଥିଲେ । କିନ୍ତୁ ଚିନ୍ତାର ବିଷୟ ଏହା ଯେ, ଏହି ଭାଇରସ୍ ମଣିଷକୁ ସଂକ୍ରମିତ କରେ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଧାରଣା ଥିଲା ।

ବର୍ତ୍ତମାନ ସୁଦ୍ଧା ମିଳିଥିବା ତଦନ୍ତ ରିପୋର୍ଟକୁ ନେଇ ମନ୍ତ୍ରଣାଳୟ କହିଛି, ମୃତ୍ୟୁ ପୂର୍ବରୁ ରୋଗୀଙ୍କ ମସ୍ତିଷ୍କ ସାମୋଣ୍ଡା ଭାଇରସରେ ସଂକ୍ରମିତ ଥିବାର ସମ୍ଭାବନା ବହୁ ଅଧିକ ରହିଛି । ସୂଚନା ଅନୁସାରେ ଭାଇରସ ସଂକ୍ରମଣରେ ମୃତ ବ୍ୟକ୍ତି ଜଣକ ପୂର୍ବ ଫ୍ରାନ୍ସରେ ଏକ କୀଟ କାମୁଡିବା ପରେ ସଂକ୍ରମିତ ହୋଇଥିଲେ । ଏହି ଭାଇରସ୍ ବସନ୍ତ ଏବଂ ଗ୍ରୀଷ୍ମ ଋତୁ ସମୟରେ ପଶୁମାନଙ୍କ ମଧ୍ୟରେ ଏହି ଭାଇରସ୍ ବ୍ୟାପିଥାଏ । ଏହି ଭାଇରସ୍ ମୁଖ୍ୟ ବାହାକ ହେଉଛି କୁଲିକୋଇଡ୍ସମିଜଜ୍ ନାମକ ଏକ କୀଟ ।

ଫ୍ରାନ୍ସର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସଂକ୍ରମଣର ପରିସ୍ଥିତି ଉପରେ ଅଧିକ ଗବେଷଣା କରୁଛନ୍ତି । ନୈଦାନିକ, ପରୀକ୍ଷାଗାର ଏବଂ ମହାମାରୀ ଦିଗରେ ଏହାର ତଦନ୍ତ ଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁରୋପୀୟ ରୋଗ ନିବାରଣ ଏବଂ ନିୟନ୍ତ୍ରଣ କେନ୍ଦ୍ର ସହ ମିଶି ଫ୍ରାନ୍ସ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାର ତଦନ୍ତ କରୁଛନ୍ତି ।

ସାମୋଣ୍ଡା ଭାଇରସ୍ କ’ଣ ?

ସାମୋଣ୍ଡା ଭାଇରସ୍ ହେଉଛି ଅର୍ଥୋବୁନିଆଭାଇରସ୍ ଗୋଷ୍ଠୀର ଭାଇରସ୍ । ଏହା ମୁଖ୍ୟତଃ ପଶୁପାଳନ ସହିତ ଜଡିତ । ବିଶେଷକରି ଏହାର ବାହାର କୀଟ ଗୋରୁମାନଙ୍କୁ କାମୁଡ଼ିବା ଦ୍ୱାରା ସଂକ୍ରମିତ ହୁଏ । ଏହି ଭାଇରସ୍ ପ୍ରଥମେ ୧୯୬୦ ଦଶକର ମଧ୍ୟଭାଗରେ ନାଇଜେରିଆରେ ଚିହ୍ନଟ ହୋଇଥିଲା । ସେବେଠାରୁ, ଏହା ଆଫ୍ରିକାର କିଛି ଅଂଶ ଏବଂ ଜାପାନରେ ପଶୁମାନଙ୍କଠାରେ ଚିହ୍ନଟ ହୋଇଛି । ଗୋରୁମାନଙ୍କୁ ସଂକ୍ରମଣ ଜ୍ୱର, ଡାଇରିଆ ହୋଇଥାଏ । ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ଗାଈଙ୍କ ଠାରେ କ୍ଷୀର ଉତ୍ପାଦନ ହ୍ରାସ ପାଇଥାଏ ।